ଧାନ ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ ୪ ଲାଇସେନ୍ସ ରଦ୍ଦ, ୨ ନିଲମ୍ବିତ

ସିନାପାଲି,(ଲିଲାମ୍ବର ନାଗ): କୃଷକଙ୍କୁ ନକଲି ବିହନ ଓ ସାର ବିକ୍ରି ଏବଂ ଅନିୟମିତତା ରୋକିବା ଉଦ୍ଦେଶ୍ୟରେ ସିନାପାଲି କୃଷି ବିଭାଗ ପକ୍ଷରୁ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୪୦ଟି ଧାନ ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଅଚାନକ ଚଢ଼ଉ କରାଯାଇଛି। ଯାଞ୍ଚ ସମୟରେ ଏକାଧିକ ଅନିୟମିତତା ଧରାପଡ଼ିବା ପରେ ୪ଟି ବିକ୍ରୟ କେନ୍ଦ୍ରର ଲାଇସେନ୍ସ ରଦ୍ଦ କରାଯାଇଥିବାବେଳେ ୨ଟି କେନ୍ଦ୍ରକୁ ନିଲମ୍ବିତ କରାଯାଇଛି। ସେହିସହ ଅନ୍ୟ କେତେକ କେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେରଙ୍କ ନେତୃତ୍ୱରେ ଏହି ଯାଞ୍ଚ ଅଭିଯାନ ଚାଲିଥିଲା। ଯାଞ୍ଚ ପରେ କୁସୁମଯୋର ଗ୍ରାମର ଆଲୋକ ନାଏକ ଓ ସରତ ନାଏକ, ଝାରବନ୍ଦର ଜ୍ଞାନ ନାଏକ ଏବଂ ହାତୀବନ୍ଧାର କ୍ଷୀରୋଦ ମେହେରଙ୍କ ବିକ୍ରୟ କେନ୍ଦ୍ରର ଲାଇସେନ୍ସ ରଦ୍ଦ କରାଯାଇଛି। ସେହିପରି ସାଗୁନଭାଡ଼ି ଗ୍ରାମର ସାଇଲ ମେହେର ଓ ସିନାପାଲିର ଚନ୍ଦ୍ର ମେହେରଙ୍କ ବିକ୍ରୟ କେନ୍ଦ୍ରକୁ ନିଲମ୍ବିତ କରାଯାଇଛି। ଏହାଛଡ଼ା ପଲସାପଡ଼ାର ବିଜୟ ପାଢ଼ୀ, ନିଲଜିର ଦିନେଶ ଅଗ୍ରୱାଲ, ଖୁମାଲର ଗଜେନ୍ଦ୍ର ନିଆଲ, ଗୋଡ଼ାଲର ଶଙ୍କର ହରିଜନ ଏବଂ ସିନାପାଲିର ରୁପେଶ ମେହେରଙ୍କ ସମେତ ଅନ୍ୟାନ୍ୟ ବିହନ ଓ ସାର ବିକ୍ରୟ କେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ଚଢ଼ଉରେ ସହକାରୀ କୃଷି ଅଧିକାରୀ (ଏଏଓ) ତପସ୍ୱିନୀ ମାଝି, ବିଏଫଟି ଶ୍ରୀ ଧାକଡ଼ଙ୍କ ସହ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ। କୃଷକମାନଙ୍କୁ ଗୁଣାତ୍ମକ ବିହନ ଓ ସାର ଯୋଗାଇବା ଏବଂ ଅନିୟମିତତା ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି କୃଷି ବିଭାଗ ସୂଚନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ