ଆଇଟିଆଇ ଫୁଲବାଣୀରେ ଅପ୍ରେଣ୍ଟିସସିପ୍ ମେଳା ଅନୁଷ୍ଠିତ

କନ୍ଧମାଳ : ସରକାରୀ ଆଇଟିଆଇ, ଫୁଲବାଣୀ ପରିସରରେ ଜୁଲାଇ ୨୦୨୬ ମାସରେ ଏକ ଭବ୍ୟ ଅପ୍ରେଣ୍ଟିସସିପ୍ ମେଳା ଅନୁଷ୍ଠିତ ହୋଇଯାଇଛି। ଯୁବ ପ୍ରଶିକ୍ଷାର୍ଥୀମାନଙ୍କୁ ଶିଳ୍ପ କ୍ଷେତ୍ର ସହ ସିଧାସଳଖ ସଂଯୋଗ କରାଇ ସେମାନଙ୍କର ଦକ୍ଷତା ବିକାଶ ଏବଂ ଭବିଷ୍ୟତ ନିୟୋଜନ ସୁଯୋଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟକ ପ୍ରଶିକ୍ଷାର୍ଥୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ଓ ନିୟୋଜନ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ଅଧ୍ୟକ୍ଷ ଇଂ. ପ୍ରକାଶ ରଞ୍ଜନ ସୋରେନ, ତାଲିମ ଅଧିକାରୀ ଡ଼ା. ନୃସିଂହାନନ୍ଦ ମହାପାତ୍ର ଏବଂ ପ୍ଲେସମେଣ୍ଟ ଅଫିସର ଶ୍ରୀ ବିଧାନ ଚନ୍ଦ୍ର ବରାଳ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ତାଲିମ ଅଧିକାରୀ ଡ଼ା. ନୃସିଂହାନନ୍ଦ ମହାପାତ୍ରଙ୍କ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ଉଦ୍ବୋଧନ ମାଧ୍ୟମରେ ହୋଇଥିଲା। ସେ ଅପ୍ରେଣ୍ଟିସସିପ୍‌ର ଗୁରୁତ୍ୱ, ଜାତୀୟ ଅପ୍ରେଣ୍ଟିସସିପ୍ ପ୍ରୋତ୍ସାହନ ଯୋଜନା ଏବଂ ଶିଳ୍ପ କ୍ଷେତ୍ରରେ ବାସ୍ତବ କାର୍ଯ୍ୟ ଅନୁଭୂତି ହାସଲ କରିବାର ସୁଯୋଗ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏହାପରେ ଜିଲ୍ଲା ଦକ୍ଷତା ଓ ନିୟୋଜନ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଅପ୍ରେଣ୍ଟିସସିପ୍ ମାଧ୍ୟମରେ ଯୁବପିଢ଼ି ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷତା ହାସଲ କରି ନିଜ କ୍ୟାରିୟରକୁ ସୁଦୃଢ଼ କରିପାରିବେ। ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟକ୍ଷ ଇଂ. ପ୍ରକାଶ ରଞ୍ଜନ ସୋରେନ ନିଜ ଉଦ୍ବୋଧନରେ କହିଥିଲେ ଯେ, ଆଜିର ପ୍ରତିଯୋଗିତାମୂଳକ ଯୁଗରେ କେବଳ ପ୍ରମାଣପତ୍ର ନୁହେଁ, ବରଂ ବ୍ୟବହାରିକ ଦକ୍ଷତା ଓ ଶିଳ୍ପ ଅଭିଜ୍ଞତା ସଫଳତାର ଚାବିକାଠି। ଏହିପରି ମେଳା ଛାତ୍ରଛାତ୍ରୀଙ୍କୁ ନୂତନ ସମ୍ଭାବନାର ଦ୍ୱାର ଖୋଲିଦେଇଥାଏ। ପ୍ଲେସମେଣ୍ଟ ଅଫିସର ଶ୍ରୀ ବିଧାନ ଚନ୍ଦ୍ର ବରାଳ ପ୍ରଶିକ୍ଷାର୍ଥୀମାନଙ୍କୁ ଅପ୍ରେଣ୍ଟିସସିପ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା, ଆବଶ୍ୟକ ଦଲିଲ, ଆବେଦନ ପ୍ରଣାଳୀ ଏବଂ ବିଭିନ୍ନ କମ୍ପାନୀରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମେଳାରେ ଯୋଗଦେଇଥିବା ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ନିଜ ନିଜ ସଂସ୍ଥାରେ ଉପଲବ୍ଧ ଅପ୍ରେଣ୍ଟିସସିପ୍ ସୁଯୋଗ, ଯୋଗ୍ୟତା, ଚୟନ ପ୍ରକ୍ରିୟା ଓ ଭବିଷ୍ୟତ କ୍ୟାରିୟର ସମ୍ଭାବନା ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ। ଛାତ୍ରଛାତ୍ରୀମାନେ କମ୍ପାନୀ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରି ବିଭିନ୍ନ ପ୍ରଶ୍ନର ଉତ୍ତର ପାଇବା ସହ ନିଜର ଭବିଷ୍ୟତ କ୍ୟାରିୟର ଯୋଜନା ସମ୍ପର୍କରେ ସ୍ପଷ୍ଟ ଧାରଣା ଲାଭ କରିଥିଲେ। ଏହି ଅପ୍ରେଣ୍ଟିସସିପ୍ ମେଳା ସରକାରୀ ଆଇଟିଆଇ ଫୁଲବାଣୀର ପ୍ରଶିକ୍ଷାର୍ଥୀଙ୍କ ପାଇଁ ଶିଳ୍ପ କ୍ଷେତ୍ର ସହ ସଂଯୋଗ ସ୍ଥାପନ, ବ୍ୟବହାରିକ ଜ୍ଞାନ ବୃଦ୍ଧି ଏବଂ ନିୟୋଜନ ସମ୍ଭାବନା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଶେଷରେ ଡ଼ା. ନୃସିଂହାନନ୍ଦ ମହାପାତ୍ର ସମସ୍ତ ଅତିଥି, କମ୍ପାନୀ ପ୍ରତିନିଧି, ପ୍ରଶିକ୍ଷାର୍ଥୀ ଏବଂ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ସଫଳ ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ