ପାରଳା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସାମଗମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଦକ୍ଷିଣ ଓଡ଼ିଶାର ସୁପ୍ରସିଦ୍ଧ ପାରଳାଖେମୁଣ୍ଡି ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସାମଗମ ହୋଇଥିବା ଲକ୍ଷ୍ୟ କରାଯାଇଛି. ଆଜି ଭୋର ସକାଳୁ 3 ଠାକୁରଙ୍କୁ ଯଥା ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଥିଲା. ପରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କାର୍ଯ୍ୟକ୍ରମରେ ତିନି ରଥ ଉପରକୁ ନିଆ ଯାଇଥିଲା. ମଧ୍ୟାହ୍ନରେ ପାରଳା ରାଜଜେମା କଲ୍ୟାଣୀ ଗଜପତି ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥରେ, ଦ୍ଵିତୀୟରେ ମା ସୁଭଦ୍ରାଙ୍କ ଓ ପରିଶେଷରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରା ପହରା କାର୍ଯ୍ୟକ୍ରମ ସମାପନ କରିବା ସହ ସାଧାରଣଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ପୂଜା ପାଠ କରିଥିଲେ. ଅପରାହ୍ନରେ ତିନି ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ମା ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣି ଥିବାବେଳେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷ ଭକ୍ତମାନେ ଟାଣିଥିଲେ. ଆଜି ସନ୍ଧ୍ୟା ସୁଦ୍ଧା ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ତିନି ଠାକୁରଙ୍କୁ ପୁଣି ପହଣ୍ଡି କରି ଗୁଣ୍ଡିଚା ମନ୍ଦିରର ରତ୍ନ ସିଂହାସନରେ ବିଜେ କରାଯାଇ ପୂଜାପାଠ କରାଯିବ ବୋଲି ସ୍ଥିର ହୋଇଛି. ହେଲେ ଖବର ଲେଖିବା ସମୟ ସୁଦ୍ଧା ରଥଟଣା ଜାରି ରହିଛି. ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ସମସ୍ତ କର୍ମକର୍ତ୍ତା ରଥଯାତ୍ରାରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ପାଳନ ପାଇଁ ସମସ୍ତ ତଦାରଖ ଜାରି ରଖିଛନ୍ତି.


