ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସି (ଏନ୍‍ଟିଏ) ଦ୍ୱାରା ପରିଚାଳିତ ନିଟ୍‍-ୟୁଜି ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଜଗଦଳପୁର ହାଇସ୍କୁଲ (ଗୁଣ୍ଠପଡା) ପାଇଁ ଗର୍ବ ଓ ଗୌରବ ଆଣିଥିବା ଶିକ୍ଷାନୁଷ୍ଠାନର ପ୍ରାକ୍ତନ ବିଦ୍ୟାର୍ଥୀ ବିଭୂପ୍ରସାଦ ସେଠୀଙ୍କୁ ସୋମବାର ଏକ ସ୍ୱତନ୍ତ୍ର ମେଧାବୀ ଅଭିନନ୍ଦନ ତଥା ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଭା ସମ୍ମାନ ତଥା ମେଧାବୀ ଅଭିନନ୍ଦନ ଏବଂ ମେଧାରତ୍ନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା, ରୁଦ୍ର ପ୍ରସାଦ ସେଠୀ, ସୁନିଲ୍‍ ସେଠୀ, ଅନ୍ନପୂର୍ଣ୍ଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଟ୍‍ ପରୀକ୍ଷାରେ ସଫଳତା ପାଇଁଥିବା ଶିକ୍ଷାନୁଷ୍ଠାନର ପ୍ରାକ୍ତନ ମେଧାବୀ ଛାତ୍ର ବିଭୂପ୍ରସାଦ ସେଠୀଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଜୀବନରେ ସଂକଳ୍ପ, ଶୃଙ୍ଖଳା ଓ ସମର୍ପଣ ଭାବ ଜାରି ରଖିବା ସହ କଠିନ ପରିଶ୍ରମ, ନିଷ୍ଠାପର ପ୍ରୟାସ ମାଧ୍ୟମରେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରି ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ନିଜ ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରି ସଫଳତାର ସ୍ରୋତକୁ ଆହୁରି ଅଗ୍ରସର କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପକ୍ଷରୁ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ମେଧାବୀ ବିଦ୍ୟାର୍ଥୀ ବିଭୂପ୍ରସାଦ ସେଠୀଙ୍କ ସଫଳତା ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଧାବୀ ଅଭିନନ୍ଦନ ତଥା ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ପାଠପଢି ପରବର୍ତ୍ତୀ ସମୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଥିବା ପ୍ରତିଭାଧରଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ଏହି ପ୍ରତିଭା ସମ୍ମାନ ସମାରୋହ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମରେ ୧୯୬୨ ମସିହା ଜୁଲାଇ ମାସ ୨୦ ତାରିଖରେ ସ୍ଥାପନ ହୋଇଥିବା ଜଗଦଳପୁର ହାଇସ୍କୁଲର ୬୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରୟଣ ମହାପାତ୍ର ଯୋଗଦେଇ ବିଦ୍ୟାଳୟର ଅତୀତ ଇତିହାସ ଉପରେ ଆଲୋକପାତ କରିବା ସାଙ୍ଗକୁ ଉଜ୍ଜଳମୟ ଭବିଷ୍ୟତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ