ଆଦର୍ଶ ଶିକ୍ଷକ ଗୌରାଙ୍ଗ ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାସ୍କୁଲ୍ରୁ ଅବସର ନେଇଥିବା ଜଣେ ଆଦର୍ଶ ଶିକ୍ଷକ ତଥା ବରିଷ୍ଠ ଗାନ୍ଧିବାଦୀ ବ୍ୟକ୍ତି ତଥା ସହଦେବଖୁଣ୍ଟା ବାସିନ୍ଦା ଗୌରାଙ୍ଗ ପ୍ରଧାନଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସ୍ୱର୍ଗତ ପ୍ରଧାନଙ୍କ ଏକାଦଶାହ ସନ୍ଧ୍ୟାରେ ସ୍ୱର୍ଣ୍ଣଚୂଡ଼ ହୋଟେଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ପୁଅ, ଝିଅ, ପୁତ୍ରବଧୁ ଓ ଜାମାତାମାନଙ୍କ ସହ ଜ୍ଞାତିକୁଟୁମ୍ବ, ପଡ଼ୋଶୀ ଓ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଜିଲ୍ଲା ହାଇସ୍କୁଲ୍ର ଗତ ୧୯୮୦ ମସିହା ବ୍ୟାଚ୍ର ଅନେକ ଛାତ୍ର ଯୋଗ ଦେଇ ତାଙ୍କ ପ୍ରିୟ ଶିକ୍ଷକଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପ୍ରଧାନ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ଖଦଡ଼ ବସ୍ତ୍ର ବ୍ୟବହାର କରୁଥିଲେ ଓ ପାଦରେ ଯୋତା ବା ଚପଲ ପିନ୍ଧି ନଥିଲେ। ସାଇକେଲ୍ ତାଙ୍କର ଏକମାତ୍ର ବାହନ ନଥିଲା। ଶ୍ରୀଶ୍ରୀ ନିଗମାନନ୍ଦଙ୍କ ଆଶ୍ରିତ ଥାଇ ସେ ଜୀବନବ୍ୟାପୀ ଶାକାହାରୀ ଥିଲେ ଓ ସମୟାନୁବର୍ତ୍ତିତାକୁ ସେ ଗୁରୁତ୍ୱ ଦେଉଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବକ୍ତା ପ୍ରକାଶ କରିଥିଲେ। ସେ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ବ୍ୟକ୍ତିତ୍ୱ ଥିଲେ ବୋଲି ସେମାନେ ମତ ଦେଇଥିଲେ।
ସର୍ବଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ପରିଡ଼ା ଓ ମନୋଜ ନାୟକ, ଡ. କାଳିପଦ ପଣ୍ଡା, ପ୍ରଣବ ପରିଡ଼ା, ଭୂଦେବ ମହାପାତ୍ର, ମାନସ ମହାନ୍ତି, ରାଜନାରାୟଣ ଦାସ, ମୁକ୍ତାର ଅହମ୍ମଦ, ସୁବଳ ପ୍ରଧାନ, ବାସୁଦେବ ପାତ୍ର, ପୁଷ୍ପଲତା ଲେଙ୍କା, ପ୍ରଦୀପ୍ତ ମହାନ୍ତି, ଦେବାଶୀଷ ଦାସମହାପାତ୍ର, ପୁତ୍ର ଗୁରୁପଦ ପ୍ରଧାନ, କନ୍ୟା କ୍ରିଷ୍ଣା ପ୍ରଧାନ ଓ କନକ ପ୍ରଧାନ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ।


