ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସର ବିକ୍ଷୋଭ
ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଦିଲ୍ଲୀର ଜନ୍ତର ମନ୍ତରରେ ଭାରତର ସମସ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷା ବିଷୟରେ ଦୀର୍ଘ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବେଳେ ତାଙ୍କର ସ୍ୱରକୁ ଦୁର୍ବଳ କରିବା ପାଇଁ ପୁଲିସ ଦ୍ୱାରା ଦମନ କରାଯାଉଥିବା ବିରୁଦ୍ଧରେ ଓ କଂଗ୍ରେସ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପରିପ୍ରେ କ୍ଷୀରେ ବୁଗୁଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବୁଗୁଡ଼ା ପିପୁଲସ୍ ହାଇସ୍କୁଲ ଛକଠାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକାଠି ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ପ୍ରତିବାଦ କରିଥିଲେ। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ପକ୍ଷରୁ ଲାଠି ମାଡ ଓ ଟୀୟର ଗ୍ୟାସ ପ୍ରୟୋଗକରି ଗଣତାନ୍ତ୍ରିକ ଆନ୍ଦୋଳନକୁ ଭଣ୍ଡୁର କରିବା କାର୍ଯ୍ୟକୁ ନିନ୍ଦା କରିଥିଲେ। ଏଥିସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରି ପ୍ରତିବାଦ ସ୍ୱରୂପ କଂଗ୍ରେସ ନେତୃବୃନ୍ଦ ପିପୁଲସ୍ ହାଇସ୍କୁଲ ଛକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ।


