ଗୁଜରାଟର ସୁରତରେ ବାହୁଡାଯାତ୍ରା ପାଳିତ
ଆସିକା (ୱାଇଏନ୍ଏସ୍) : ଗୁଜରାଟ ରାଜ୍ୟର ସୁରତ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ କୋଟି କୈବଲ୍ୟନାଥଙ୍କ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଡପ ମଣ୍ଡପଗୁଡିକରେ ଭକ୍ତିମୟ ପରିବେଶ ସୃଷ୍ଟ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ଜୟ ଜଗନ୍ନାଥ ଏବଂ ହରିବୋଲ ଓ ହୁଳହୁଳି ଧ୍ୱନି ସାଙ୍ଗକୁ ନାମ ସଂକୀର୍ତ୍ତନରେ ଉଚ୍ଛୁଳି ପଡୁଥିଲା ସୁରତ ଅଞ୍ଚଳର ବହୁ ମୁଖ୍ୟରାସ୍ତା । ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା ଓ କୋଟି କୈବଲ୍ୟନାଥଙ୍କ ଦିବ୍ୟଦର୍ଶନରେ ଭକ୍ତ ବିଭୋର ହୋଇପଡିଥିବା ପରିଲକ୍ଷିିତ ହୋଇଥିଲା । ଜଗତରନାଥ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଥିରେ ଧରି ଗତ ୧୬ ତାରିଖ ଦିନ ନବଦିନାତ୍ମକ ଯାତ୍ରାରେ ବାହାରିଥିଲେ । ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁଜରାଟ ରାଜ୍ୟର ସୁରତ ଅଞ୍ଚଳର ଅମ୍ରୋଲି ସ୍ଥିତ ମାନସରୋବର ସର୍କଲ ନିକଟସ୍ଥ ଆଡପ ମଣ୍ଡପରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ପବିତ୍ର ବାହୁଡା ଯାତ୍ରାରେ ମାହେନ୍ଦ୍ର ବେଳାରେ ତିନି ଠାକୁରଙ୍କୁ ପହଣ୍ଡିର ଅଣାଯାଇ ରଥାରୁଢ କରାଯାଇଥିଲା । ଆମ୍ରୋଲି ସ୍ଥିତ ମାନସରୋବର ସର୍କଲ୍ ଆଡପ ମଣ୍ଡପରେ ବିଧିବିଧାନ ଓ ନୀତିକାନ୍ତି ଶେଷ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ରଥଟଣା ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ସୁରଥ ଅଞ୍ଚଳର ଶହ ଶହ ପ୍ରବାସୀ ଓଡିଆ ଏହି ରଥଟଣାରେ ସାମିଲ୍ ହୋଇ ଜଗତକର୍ତ୍ତାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସାଙ୍ଗକୁ କୃପାଭିକ୍ଷା କରିଥିଲେ । ପବିତ୍ର ବାହୁଡା ଯାତ୍ରାରେ ରଥାରୁଢ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଅସମ୍ଭବ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ପବିତ୍ର ବାହୁଡାଯାତ୍ରା ଅବସରରେ ଗୁଜରାଟ ରାଜ୍ୟର ସୁରତ ଅଞ୍ଚଳର ଆମ୍ରୋଲି କତାରଗାମ୍ ନିକଟରେ ପୂଜା ପାଇଆସୁଥିବା ଜଗତକର୍ତ୍ତା ଜଗନ୍ନାଥଙ୍କ ରଥଟଣା କାର୍ଯ୍ୟ ମନସରୋବର ସର୍କଲ୍ ଆଡପ ମଣ୍ଡପ ନିକଟରୁ ବାହାରିଥିଲା । ପବିତ୍ର ବାହୁଡା ଯାତ୍ରାରେ ମହାବାହୁଙ୍କ ରଥଟଣା ବେଳେ ଘଣ୍ଟ, ମୃଦଙ୍ଗ, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ଗୁଜରାଟ ରାଜ୍ୟର ସୁରତ ଅଞ୍ଚଳରେ ଆମ୍ରୋଲି କତାରଗାମ୍ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଦୀର୍ଘ ପ୍ରାୟ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଧ୍ୟାତ୍ମିକପ୍ରେମୀ ତଥା ଭଗବାନ ଜଗନ୍ନାଥ ରଥଯାତ୍ରା ମହୋତ୍ସବ କମିଟିର ସଭାପତି ହରିହର ପଣ୍ଡା, ମହାରାଜ ସୀତାରାମ ଦାଶ, ଶ୍ରଦ୍ଧାଳୁ ଭକ୍ତ ଗୋବର୍ଦ୍ଧନ ସ୍ୱାଇଁ, ଅଶୋକ କୁମାର ପାଢୀ, କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ ସାହୁ, ରବିନ୍ଦ୍ର କୁମାର ପଣ୍ଡା, ପାଣ ସାହୁ, ପୂର୍ଣ୍ଣ ନାୟକ, ରଙ୍ଗଲାଲ୍ ସେଠୀ, ଗଙ୍ଗାରାମ ସାହୁ, ନାରାୟଣ ବିଷୋୟୀ, ଡାକ ପଲାରୁ, କାଳୁଚରଣ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆମ୍ରୋଲି କତାରଗାମ୍ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବାହୁଡାଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ଜଗତକର୍ତ୍ତାଙ୍କୁ ପୂଜାର୍ଚ୍ଚନା କରିବା ଲାଗି ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ବାହୁଡା ଯାତ୍ରା ଅବସରରେ ଆମ୍ରୋଲି କତାରଗାମ୍ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଟଣା କାର୍ଯ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଥିଲା ବେଳେ ଭାବବିନୋଦିଆ ରଥାରୁଢ ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ମୁଖ୍ୟରାସ୍ତାରେ ଟାଣିଟାଣି ନେଉଥିବା ବେଳେ ବେଶ ଉତ୍ସାହିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରୁ କିଏ ନଡିଆ ବାଡାଉଥିଲା ତ ଅନ୍ୟ କିଏ ହାତ ଉପରକୁ ଟେକି ଆଶିଷ କାମନା କରୁଥିବା ଦେଖିବାକୁ ମିଳୁଥିଲା । ପବିତ୍ର ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ମହୋତ୍ସବ କମିଟିର ସଭାପତି ହରିହର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ସୁରଥର ଓଡିଆ ସଂସ୍କୃତି ଏବଂ ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟ, ଚେତନାକୁ ଜୀବନ୍ତ ରଖିବାରେ ଏହି ନବଦିନାତ୍ମକ ଘୋଷଯାତ୍ରା ଓ ବାହୁଡାଯାତ୍ରା ଏକ ଅନନ୍ୟ ପ୍ରୟାସ ହୋଇଥିଲା ବେଳେ ମହାପ୍ରଭୂ ଜଗତକର୍ତ୍ତା ଜଗନ୍ନାଥଙ୍କ ଦିବ୍ୟ ଆଶୀର୍ବାଦ ଆମ ସମସ୍ତଙ୍କୁ ସଦାସର୍ବଦା ସଠିକ୍ ପଥରେ ପରିଚାଳିତ ହେବାକୁ ମାର୍ଗଦର୍ଶନ ଦେଉଥାଉ ବୋଲି ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ସନ୍ତୋଷ କୁମାର ସାହୁ ଆଶୀର୍ବାଦ ଭିକ୍ଷା କରିଥିବା ଲକ୍ଷ୍ୟ କରାଯାଇଥିଲା ।


