ସୁନାବେଶରେ ଝଲସିଲେ ଦାରୁଦିଅଁ
ଆସିକା (ୱାଇଏନ୍ଏସ୍) : ଆସିକା ନିକଟସ୍ଥ ନୁଆଗାଁର ସମବାୟ ଚିନିଶିଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଶନିବାର ସନ୍ଧ୍ୟାରେ ବଡ ଏକାଦଶୀ ତିଥିରେ ରଥାରୁଢ ଶ୍ରୀଜିଉଙ୍କ ଚିତ୍ତାକର୍ଷକ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧାମୂର୍ତ୍ତୀଙ୍କ ଆକର୍ଷଣୀୟ ସୁନାବେଶ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତମାନେ ଏହି ଦିନଟିକୁ ଚାତକ ପକ୍ଷୀ ଭଳି ଚାହିଁ ବସିଥିଲେ । ମହାପ୍ରଭୂ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ଚଢି ମାଉସୀ ମା’ ମନ୍ଦିରକୁ ଯାଇଥିଲେ । ମାଉସୀ ମା’ ଘରେ ପୋଡପିଠା ଖାଇ ୭ଦିନ ରହଣୀ ପରେ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ମନ ବଳେଇଥିଲେ । ଗତକାଲି ଅର୍ଥାତ୍ ଶୁକ୍ରବାର ପବିତ୍ର ବାହୁଡା ଯାତ୍ରାରେ ରଥାରୁଢ ହୋଇ ଚତୁର୍ଦ୍ଧାମୂର୍ତ୍ତୀ ରତ୍ନ ସିଂହାସନକୁ ଯାତ୍ରା ବେଳେ ବାଟରେ ଅଟକି ରହିଛନ୍ତି । ଶନିବାର ଜଗତକର୍ତ୍ତା ମହାବାହୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲା ବେଳେ ଆସନ୍ତା ସୋମବାର ଦିନ ରତ୍ନ ସିଂହାସନକୁ ଫେରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅନ୍ୟତମ । ଯାହାକି ଅତ୍ୟନ୍ତ ଉପଭୋଗୀ ଓ ଆକର୍ଷଣୀୟ । ଶନିବାର ବଡଏକାଦଶୀ ତିଥି ଅବସରରେ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଦିନତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ରଥ ସମ୍ମୁଖରେ ଭିଡ ଜମିଥିବା ବେଳେ ସନ୍ଧ୍ୟାରେ ଆକର୍ଷଣୀୟ ସୁନାବେଶ ଦେଖି ଭକ୍ତ ବିମୋହିତ ହୋଇପଡିଥିଲେ । ଚିନିଶିଳ୍ପ ନୁଆଗାଁରେ ଶ୍ରୀଜିଉଙ୍କ ଚିତ୍ତାକର୍ଷକ ସୁନାବେଶ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଆଷାଢ ଶୁକ୍ଳ ବଡଏକାଦଶୀ ତିଥିରେ ରଥ ଉପରେ ବିଶ୍ୱନିୟନ୍ତାଙ୍କ ଐଶ୍ଚର୍ଯ୍ୟମୟ ସୁନାବେଶ ଅନୁଷ୍ଠିତ ହୋଇଥିଲା ବେଳେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଏହି ଦୁର୍ଲଭ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ । ଜଗତକର୍ତ୍ତା ରଥାରୁଢ ହୋଇ ସୁନାବେଶରେ ଶନିବାର ସନ୍ଧ୍ୟାରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲା ବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛାଡି ଯିବାକୁ ଭକ୍ତମାନେ ମନ ବଳାଇନଥିବା ଦେଖିବାକୁ ମିଳିଥିଲା । କାଳିଆ ସାଆଁନ୍ତଙ୍କ ଏହି ଦୁର୍ଲଭ ସୁନାବେଶ ଭକ୍ତଙ୍କୁ ଟାଣି ରଖୁଥିଲା । ଭକ୍ତ ଓ ଭଗବାନ ଏକାକାର ହୋଇ ଆଖିରେ ଆଖି ମିଶାଇ ଚାଲିଥିଲା ଭାବର ବିନିମୟ । ଚକାନୟନଙ୍କ ଆଖିରେ ପଲକ ପଡୁନଥିଲା ବେଳେ କେତେକ ଭକ୍ତଙ୍କ ଆଖିରୁ ବହିଯାଉଥିଲା ଆନନ୍ଦାଶ୍ରୁ । ଶ୍ରଦ୍ଧାଳୁ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନୀରେ ଚିନିଶିଳ୍ପ ନୁଆଗାଁ ମୁଖ୍ୟରାସ୍ତା ପ୍ରକମ୍ପିତ ହେବା ସହ ଭକ୍ତିଭାବରେ ସ୍ଥାନୀୟ ଅଞ୍ଚଳ ଉଛୁଳି ପଡିଥିଲା । ଭାବ ବିନୋଦିଆ ଠାକୁର ଜଗନ୍ନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ପବିତ୍ର ଏକାଦଶୀ ତିଥିରେ ଚିନିଶିଳ୍ପ ନୁଆଗାଁ ସମ୍ମୁଖରେ ରଥାରୁଢ ହୋଇଥିବା ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଦିନତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ସମବାୟ ଚିନିଶିଳ୍ପ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଦୀର୍ଘ ୨୯ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍.ସୁଜିତ୍ କୁମାର ପୃଷ୍ଟି, ସଦସ୍ୟ ଦିଲୀପ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କା, ଆଧ୍ୟାତ୍ମିକପ୍ରେମୀ ତଥା ଶ୍ରଦ୍ଧାଳୁ ଭକ୍ତ ସୁଶାନ୍ତ କୁମାର ପାତ୍ର, ରାଜେଶ୍ କୁମାର ନାୟକ, ଉଲ୍ଲାସ ରେଡି, ଜଗନ୍ନାଥ ପଟ୍ଟନାୟକ, ସୁବ୍ରତ କର, ବିକାଶ ପଟ୍ଟନାୟକ, ଦୁତୀ ରାମକୃଷ୍ଣ ତ୍ରିପାଠୀ, ଆଶିଷ୍ ପରିଡା, ବିଷ୍ଣୁଚରଣ ଜେନା, ତ୍ରିନାଥ ବେହେରା, ଏମ୍.ରାମବାବୁ ଦୋରା, ସୌମେନ୍ଦ୍ର ପଟ୍ଟନାୟକଙ୍କ ସମେତ ସମବାୟ ଚିନିଶିଳ୍ପ କର୍ମଚାରୀ, ଆଧ୍ୟାତ୍ମିକପ୍ରେମୀ, ଶ୍ରଦ୍ଧାଳୁଭକ୍ତ, ଗ୍ରାମବାସୀ ଓ ସ୍ୱେଚ୍ଛାସେବୀମାନେ ଏହି ପବିତ୍ର ବାହୁଡାଯାତ୍ରାକୁ ପରିଚାଳନା କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା । ସୁନାବେଶରେ ସଜେଇ ହୋଇ ମର୍ତ୍ତବ୍ୟ ବୈକୁଣ୍ଠ କ୍ଷେତ୍ରାଧିପତି ମହାପ୍ରଭୂ ଶ୍ରୀଜଗନ୍ନାଥ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇଥିଲା ବେଳେ ରାଜାଧିରାଜଙ୍କ ଏହି ଅପୂର୍ବ ରୂପକୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଥିଲେ । ସେହିଭଳି ଆସିକା ସହରର ଖମ୍ବେଶ୍ୱରୀପାଟଣା, ଓଡିଆ ସାହି ସମେତ ଆଖପାଖ ଅଞ୍ଚଳରେ ରଥାରୂଢ ଶ୍ରୀ ବିଗ୍ରହଙ୍କୁ ଦର୍ଶନ ଲାଗି ପବିତ୍ର ବଡ ଏକାଦଶୀ ତିଥିରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଚିନିଶିଳ୍ପ ନୁଆଗାଁରେ ଭିଡ ଜମାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଥିଲା ।


