ଆଜି କାରଗିଲ୍ ବିଜୟ ଦିବସ

ଆସିକା  (ୱାଇଏନ୍‍ଏସ୍‍) :ଆଜି ଅର୍ଥାତ୍ ରବିବାର ସାରା ଦେଶରେ ପାଳିତ ହେବ କାରଗିଲ୍ ବିଜୟ ଦିବସ। ସାରା ଦେଶ ମନେ ପକାଇବ ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଜୁଲାଇ ମାସ ୨୬ତାରିଖରେ ପାକିସ୍ତାନ ସେନା ଉପରେ ବିଜୟ ଲାଭ କରି କାରଗିଲ୍‌ରେ ତ୍ରିରଙ୍ଗା ଉଡାଇଥିଲା ଭାରତୀୟ ସେନା। ଏଥିପାଇଁ ୫୨୭ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡିଥିଲା। ୧୯୯୯ ମସିହାରେ କାଶ୍ମୀର ଉପତ୍ୟକାରେ ଭାରତୀୟ ଉପଖଣ୍ଡରେ ପ୍ରବେଶ କରିଥିଲେ ଭାରତୀୟସେନା। ଶତୃ ପକ୍ଷଙ୍କୁ ତଡିବା ପାଇଁ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ ବିଜୟ। ପ୍ରାୟ ୨ମାସ ଧରି ଚାଲିଥିଲା ଏହି ଲଢେଇ। ଶେଷରେ ୧୯୯୯ ମସିହା ଜୁଲାଇ ମାସ ୨୬ତାରିଖରେ ଭାରତ ମାଟିରୁ ପାକିସ୍ତାନସେନାକୁ ହଟାଇ ବିଜୟ ତ୍ରିରଙ୍ଗା ଧ୍ୱଜା ଉଡାଇଥିଲା ଭାରତୀୟ ସେନା। ଏହି ଐତିହାସିକ ବିଜୟ ହାସଲ କରିବା ସ୍ମୃତିରେ ପ୍ରତ୍ୟେକବର୍ଷ ଜୁଲାଇ ମାସ ୨୬ତାରିଖରେ ପାଳିତ ହେଉଛି କାରଗିଲ୍ ବିଜୟ ଦିବସ। କାରଗିଲ୍ ବିଜୟ ଦିବସ ପାଳନ ଅବସରରେ ସାରା ଦେଶରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ବୀର ଯବାନ ମାନଙ୍କ ସ୍ମୃତି ଚାରଣ କରାଯାଇଥାଏ। ଦେଶ ମାତୃକା ଲାଗି ନିଜ ଜୀବନକୁ ବାଜି ଲଗାଇ ସହିଦ ହୋଇଥିବା ଆସିକା ମାଟିର ସୁନା ପୁଅ ଉମାକାନ୍ତ ପଟ୍ଟନାୟକଙ୍କୁ ଆଜି ବି ନିଜ ଜନ୍ମ ମାଟି ଓ ପରିବାରବର୍ଗ ଝୁରୁ ଥିବା ଦେଖିବାକୁ ମିଳିଛି। କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ଆସିକା ମାଟିର ବୀର ଯବାନ ଉମାକାନ୍ତ ପଟ୍ଟନାୟକଙ୍କ ମାତା କମଳ କୁମାରୀ ପଟ୍ଟନାୟକ ଆଜି ବି ନିଜର ଛାତିକୁ ପଥର କରି ନିଜ ଘରେ ସହୀଦ ପୁତ୍ର ଉମାକାନ୍ତଙ୍କ ଫଟୋଚିତ୍ରକୁ ପଣତକାନିରେ ପୋଛି ଫୁଲ ମାଳ ଦେଇ ଧୁପ ଦୀପ ଜାଳି ପୂଜାର୍ଚ୍ଚନା କରିବା ସହ ପୁଅର ଅମର ଆତ୍ମାର ସଦ୍‌ଗତି କାମନା କରୁଥିବା ଦେଖିବାକୁ ମିଳୁଛି। କାରିଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ଆସିକା ମାଟିର ସୁନାପୁଅ ଉମାକାନ୍ତ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଲୁକା ଛକରେ ଏକ ସ୍ମୃତି ସ୍ତମ୍ବ ନିର୍ମାଣ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ସହିଦ୍ ଉମାକାନ୍ତ ମାର୍ଗରେ ନାମିତ କରିବା ପାଇଁ ସଚେତନ ନାଗରିକ ମହଲରେ ଦୃଢମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଦେଶ ମାତୃକାର ରକ୍ଷା କରୁ କରୁ ପାକିସ୍ତାନ୍ ଶତୃପକ୍ଷଙ୍କ ଗୁଳିରେ ଆସିକାର ବୀର ଯବାନ ଉମାକାନ୍ତ ପଟ୍ଟନାୟକ ସହିଦ୍ ହୋଇଗଲେ ସିନା ତ୍ରିରଙ୍ଗାର ମାନ ରଖିଲେ ଓ ଆସିକା ଅଞ୍ଚଳର ଟେକ ରଖି ସବୁଦିନ ପାଇଁ ସ୍ମୃତି ହୋଇ ରହିଗଲେ। ଜଣେ ବୀର ସହିଦ୍ ଯବାନ ଉମାକାନ୍ତ ପଟ୍ଟନାୟକଙ୍କ ପିତା ଭାବେ ରାଜକିଶୋର ପଟ୍ଟନାୟକ ଯେତିକି ଗର୍ବ ଅନୁଭବ କରନ୍ତି ପୁଅର ସେଦିନର କଥା ମନେପଡିଲେ ନିଜର କୋହକୁ ସମ୍ବରଣ କରି ପାରୁ ନଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା ଆସିକା ତାଲୁକା ଅଞ୍ଚଳର ରାଜକିଶୋର ପଟ୍ଟନାୟକଙ୍କ ପୁତ୍ର ଉମାକାନ୍ତ ପଟ୍ଟନାୟକ ଗତ ୨୦୦୦ ମସିହା ମଇ ମାସ ୩୧ ତାରିଖରେ କାରଗିଲ ମାଟିରେ ଶତୃପକ୍ଷ ସୈନ୍ୟଙ୍କ ଗୁଳିରେ ସହିଦ ହୋଇଥିଲେ । ଆସିକା ପୌର ପରିଷଦ ଅଧିନସ୍ଥ ଶାସ୍ତ୍ରୀନଗର ଅଞ୍ଚଳରେ ୧୯୭୧ ମସିହାରେ ଜନ୍ମିତ ଉମାକାନ୍ତ ପଟ୍ଟନାୟକ ୧୯୯୧ ମସିହାରେ ସାମରିକ ବିଭାଗର ପଦାତିକ ବାହିନୀରେ ଯୋଗଦେଇଥିଲେ । ଜାମ୍ମୁକାଶ୍ମୀର ସେକ୍ଟରର ୯୦ ଆର୍ମଗ୍ରୁପରେ ଉମାକାନ୍ତ କାରଗିଲ ଯୁଦ୍ଧରେ ସାମିଲ ହୋଇ ସହିଦ ହୋଇଥିଲେ । ଆସିକା ମାଟିର ଏହି ବୀର ଯବାନ ଉମାକାନ୍ତ ସହିଦ୍ ହେବାର ଦୀର୍ଘ ୨୬ବର୍ଷ ବିତିଯାଇଥିଲା ବେଳେ ପିତା ରାଜକିଶୋର ଓ ମାତା କମଳକୁମାରୀ ପୁତ୍ର ଉମାକାନ୍ତର ଅତୀତ ସ୍ମୃତିକୁ ସାଉଁଟି ଲୁହ ଶୁଖିଯାଇଛି । କାରଗିଲ୍ ଯୁଦ୍ଧରେ ୨୦୦୦ ମସିହା ମଇ ମାସ ୩୧ ତାରିଖରେ ଶତୃପକ୍ଷ ସୈନ୍ୟଙ୍କ ଗୁଳିରେ ସହିଦ୍ ହୋଇଥିବା ଉମାକାନ୍ତ ପଟ୍ଟନାୟକଙ୍କ ମୃତ ଦେହ ୨୦୦୦ ମସିହା ଜୁନ୍‌ମାସ ପ୍ରଥମ ସପ୍ତାହରେ ଆସିକାରେ ପହଞ୍ôଚବା ବେଳେ ସେହି ବୀର ସହିଦ୍‌ଙ୍କୁ ସମ୍ମାନ ଜଣାଇବା ପାଇଁ ଆସିକା ସହର ଲୋକାରଣ୍ୟ ହୋଇ ପଡିଥିଲା । ୧୯୯୯ ମସିହା ଜୁଲାଇ ମାସ ୨୬ତାରିଖରେ ଭାରତୀୟ ସେନାର ଅପରେସନ ବିଜୟ ଅଭିଯାନ ସଫଳ ହୋଇଥିଲା । କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ବୀର ସୈନ୍ୟମାନଙ୍କ ସମ୍ମାନାର୍ଥେ କାରଗିଲ୍ ବିଜୟ ଦିବସ ପାଳନ କରାଯାଉଛି । ଶତୃ ସହ ଲଢେଇ କରି ଯୁଦ୍ଧରେ ସହିଦ୍ ହୋଇଥିବା ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ଆସିକାର ଉମାକାନ୍ତ ପଟ୍ଟନାୟକଙ୍କ ଭଳି ବୀର ଯବାନଙ୍କ ଅସୀମ ସାହସିକତା ଓ ଆତ୍ମବଳି ଅବିସ୍ମରଣୀୟ । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ତାଲୁକା ଛକ ଅଞ୍ଚଳକୁ ସହିଦ୍ ଉମାକାନ୍ତ ମାର୍ଗରେ ନାମିତ କରିବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ