ଆରମ୍ଭ ହେଲା ଯୁକ୍ତ ତିନି ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ପାଠପଢା

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ଅଞ୍ଚଳରେ ଥିବା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ, ଆସିକା ବିଜ୍ଞାନ ମହାବିଦ୍ୟାଳୟ, କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ, ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ସୋମବାର ଠାରୁ ଯୁକ୍ତ ତିନି ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ନିୟମିତ ପାଠପଢା ଆରମ୍ଭ ହୋଇଯାଇଛି । ଯୁକ୍ତ ତିନି ଡିଗ୍ରୀ ପ୍ରଥମ ବର୍ଷ ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିଯାଇଥିଲା ବେଳେ ଆସନ୍ତା ୨୯ ତାରିଖରେ ତୃତୀୟ ରାଉଣ୍ଡ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ (ଶାସ୍ତ୍ରୀ) ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହୋଇଥିଲା ବେଳେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମ ଏବଂ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳା ପାଠ୍ୟକ୍ରମ ଓ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳା ଓ ବିଜ୍ଞାନ ପାଠ୍ୟକ୍ରମରେ ପାଠପଢା ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଦିନରୁ ହିଁ ଶ୍ରେଣୀôଗୃହରେ ପାଠପଢା ଏବଂ ନିୟମିତ ଉପସ୍ଥାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ପରିଲକ୍ଷିତ ହୋଇଥିଲା । ଉଚ୍ଚ ଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ୭୫ ପ୍ରତିଶତ ଉପସ୍ଥାନ ନ ରହିଲେ ଟର୍ମ ଏଣ୍ଡ୍‍ ସେମିଷ୍ଟାର ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ବଂଚିତ ହେବେ ବୋଲି ପରାମର୍ଶ ବି ଦିଆଯାଇଥିଲା । ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ଥିବା ୪ଟି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ପାଠପଢା ସୋମବାର ଠାରୁ ଆରମ୍ଭ ହୋଇସାରିଥିଲା ବେଳେ ଶିକ୍ଷାନୁଷ୍ଠାନ ଗୁଡିକ ପକ୍ଷରୁ ବିଦ୍ୟାର୍ଥୀମାନଙ୍କୁ ଦୈନନ୍ଦିନ କ୍ଳାସ୍‍ ସକାଶେ ସମୟ ସାରଣୀ ବି ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ