ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରିବିଜେ ସଂପନ୍ନ
ଆସିକା (ୱାଇଏନ୍ଏସ୍) : ପବିତ୍ର ଘୋଷଯାତ୍ରା ସାରି ଶ୍ରୀଜୀଉମାନେ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସିକା ବ୍ଳକ ଅନ୍ତର୍ଗତ ଚିନିଶିଳ୍ପ ନୁଆଗାଁ, କାଳଷଣ୍ଢପୁର, ନଳବଣ୍ଟା, କେନ୍ଦୁପଦର, ଗହଙ୍ଗୁ ସମେତ ଆସିକା ସହରର ସୁନାମ୍ବ ସାହି, ବଜାର ସାହି, ଖମ୍ବେଶ୍ୱରୀପାଟଣା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ନୀତିକାନ୍ତି ଅନୁଯାୟୀ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ଚତୁର୍ଦ୍ଧାବିିଗ୍ରହଙ୍କ ନିଳାଦ୍ରୀବିଜେ ସଂପନ୍ନ ହୋଇଯାଇଛି । ମହାପ୍ରଭୁ ଶ୍ରୀ ସୁଦର୍ଶନ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନ ଉପରେ ସେବାୟତମାନେ ବିଜେ କରାଇଥିଲେ। ରଥ ଉପରେ ଜଗତକର୍ତ୍ତାଙ୍କ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା, ମାର୍ଜଣା ଓ ପୁଷ୍ପାଞ୍ଜଳି କରାଯିବାପରେ ପହଣ୍ଡିବିଜେ ଆରମ୍ଭ ହୋଇଥିଲା । ରଥ ନିକଟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ହୁଳହୁଳି ସାଙ୍ଗକୁ ଜୟଜଗନ୍ନାଥ ଧ୍ୱନୀରେ ସମଗ୍ର ପରିବେଶ ମୁଖରିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ଅବସରର କୋଟିକୈବଲ୍ୟନାଥ ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ଶେଷ ହୋଇଥିଲା ବେଳେ ରତ୍ନସିଂହାସନକୁ ବିଜେ କରି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତିି । ଦୀର୍ଘ ୧୨ ଦିନର ଲୀଳାଖେଳା ଶେଷ କରି ନୀଳକନ୍ଦରକୁ ବିଜେ କରିଥିଲେ ନୀଳାଦ୍ରିନାଥ । ଶ୍ରଦ୍ଧାଳୁଭକ୍ତମାନେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଭାବରେ ଭକ୍ତିରେ କିିଏ ମଣିମା ତ କିଏ ଜୟ ଜଗନ୍ନାଥ ଡାକି ନିଜକୁ ଠାକୁରଙ୍କ ନିକଟରେ ସମର୍ପି ଦେଇଥିବା ବେଳେ ଜଗନ୍ନାଥ ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଥିଲା ।


