ଜାତୀୟ କୃମି ନାଶକ ଦିବସ ସଂକ୍ରାନ୍ତୀୟ ତାଲିମ ଶିବିର
ଆସିକା(ୱାଇଏନ୍ଏସ୍) : ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆସନ୍ତା ୧୦ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧ ରୁ ୧୯ବର୍ଷ ବୟସ୍କ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣାରେ କୃମି ନାଶକ ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବାଲିସିରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଧୁୁସୂଦନ ବାରିକଙ୍କ ପରାମର୍ଶକ୍ରମେ ଶୁକ୍ରବାର ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଦୁଇଟି ପର୍ଯ୍ୟାୟରେ ଜାତୀୟ କୃମି ନାଶକ ଦିବସ ସଂକ୍ରାନ୍ତୀୟ ଏକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି। ବାଲିସିରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ସାଗରିକା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିବା ଏହି ତାଲିମ ଶିବିରରେ ଆସିକାର ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ଭଂଜ ବେହେରା, ଆୟୁଷ୍ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କୁବେର ପାତ୍ର, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ବାଲିସିରା ମେଡିକାଲର ଚିକିତ୍ସା ତଥ୍ୟ ସହାୟକ ଦାଶରଥୀ ମିଶ୍ର ପ୍ରମୁଖ ଯୋଗଦେଇ ପିଲାଙ୍କ ଦେହରେ କୃମି ଥିଲେ ପୁଷ୍ଟିହୀନତା ଓ ରକ୍ତହୀନତା ଯୋଗୁଁ ଦୁର୍ବଳ ଓ କ୍ଳାନ୍ତ ଅନୁଭବ କରିବା ସାଙ୍ଗକୁ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ତେଣୁ କୃମିନାଶକ ଔଷଧ ଖାଇଲେ ପିଲାମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇବା ସହ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ସେମାନଙ୍କ ଉପସ୍ଥାନ ବଢିଥାଏ ଏବଂ ସୁସ୍ଥ ସମାଜ ଗଠନ ହେବା ସାଙ୍ଗକୁ ରକ୍ତହୀନତା ଓ ଅପପୁଷ୍ଟିରୁ ସୁରକ୍ଷା ଦିଆଯାଇଥାଏ ବୋଲି ପ୍ରକାଶ କରିଥିଲେ । ଆସନ୍ତା୧୦ତାରିଖରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବ। ଏହିଦିନ ୧ରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ କୃମି ନାଶକ ଔଷଧ ଦିଆଯିବା ପାଇଁ ସ୍ଥିର ହୋଇଛି। ଆସନ୍ତା୧୦ତାରିଖରେ କୌଣସି କାରଣବଶତଃ ଏହି କୃମିନାଶକ ଔଷଧ ଖାଇପାରି ନଥିବା ପିଲାଙ୍କୁ ଆସନ୍ତା ୧୭ତାରିଖରେ ଔଷଧ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏହି ତାଲିମ୍ ଶିବିରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ବାଲିସିରା, ଗଙ୍ଗାପୁର, ବଡଖୋଲି, ଭେଟନଇ, କେ.ନୁଆଁପଲ୍ଲୀ, ହରିଡାପଦର, ଖାରିଆ, ନିମିନା, ବାବନପୁର, ନଳବଣ୍ଟା, ଆସିକା ପୌର ପରିଷଦ ସଦର ଅଧୀନସ୍ଥ ଅଞ୍ଚଳର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସମେତ ଅନ୍ୟାନ୍ୟ ପ୍ରାୟ ୧୮୮ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗଦେଇଥିଲା ବେଳେ ସେମାନଙ୍କୁ ତାଲିମ ଦିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା। ଆସନ୍ତା ୧୦ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ଜାତୀୟ କୃମି ନାଶକ ଦିବସରେ ଆସିକା ବ୍ଳକ ଅଧିନସ୍ଥ ବାଲିସିରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରାୟ ୪୫ ହଜାରରୁ ଉର୍ଦ୍ଧ୍ୱ ପିଲାଙ୍କୁ ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଶୁକ୍ରବାର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଜାତୀୟ କୃମିନାଶକ ଦିବସ ସଂକ୍ରାନ୍ତୀୟ ତାଲିମ୍ ଶିବିରରେ ଶିକ୍ଷକ ସୁଶିଲ୍ କୁମାର ପାତ୍ର, ଶିବଶଙ୍କର ଜେନା, କୃଷ୍ଣଚନ୍ଦ୍ର ମୁନି, ବାଳକୃଷ୍ଣ ହୋତା, ଅବନୀକାନ୍ତ ବେହେରା, ସନ୍ତୋଷ କୁମାର ସେଠୀ, ପି.ରାମାରାଓ ପାତ୍ର, ନିରଞ୍ଜନ ବେହେରା, ବ୍ରଜମୋହନ ପାତ୍ର, ଶିବଶଙ୍କର ସ୍ୱାଇଁଙ୍କ ସମେତ ବହୁ ଶିକ୍ଷକ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।


