ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ

ବିଞ୍ଝାରପୁର, (ପ୍ରଦୀପ କୁମାର ମଲ୍ଲିକ): ସିଂହପୁରସ୍ଥିତ ଖରସ୍ରୋତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ +୨ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପରିଚୟ ଓ ସ୍ୱାଗତ ସମାରୋହ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶନାନୁସାରେ ଜୁଲାଇ ୨୩ ତାରିଖରୁ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର +୨ ପ୍ରଥମ ବର୍ଷ ଶ୍ରେଣୀ ଆରମ୍ଭ ହୋଇଥିଲେ ମଧ୍ୟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଛାତ୍ରଛାତ୍ରୀଙ୍କ ଉପସ୍ଥିତି କମ୍ ରହିଥିବାରୁ ଔପଚାରିକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ହୋଇପାରିନଥିଲା। ପରିସ୍ଥିତି ସ୍ୱାଭାବିକ ହେବା ପରେ ଆଜି ବିଧିବଦ୍ଧ ଭାବେ ଏହି ସ୍ୱାଗତ ଓ ପରିଚୟ ସଭାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ସଭାପତିତ୍ୱ କରି ନବାଗତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ନୀତିନିୟମ, ଶୃଙ୍ଖଳା, ଅଧ୍ୟୟନ ପ୍ରଣାଳୀ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ନିଷ୍ଠାର ସହ ଆଗେଇବାକୁ ପ୍ରେରଣାଦାୟକ ପରାମର୍ଶ ଦେଇଥିଲେ। ଉଚ୍ଚ ମାଧ୍ୟମିକ ସ୍ତରରେ ନିୟମିତ ଅଧ୍ୟୟନ, ସମୟାନୁବର୍ତ୍ତିତା ଓ ଶୃଙ୍ଖଳାବଦ୍ଧ ଜୀବନର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ।ଏହି ଅବସରରେ ଅଧ୍ୟାପିକା ମମତାମୟୀ ସାମଲ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ, ମୀନକେତନ ତ୍ରୀପାଠୀ, ସୁବାସ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର କୁମାର ସାମଲ, ଗଗନ ବିହାରୀ ବେହେରା, ଦେବବ୍ରତ ଧଳ, ଚନ୍ଦନ ପତି, ସତ୍ୟବ୍ରତ ସେଠୀ, ବିବେକ ମେହେର, ରଜତ କୁମାର ସାହୁ, ନୀଳମଣି ମଲ୍ଲିକ ଓ ଯୋଗେନ୍ଦ୍ର ସ୍ୱତାର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧ ଓ ସଫଳ ଜୀବନ ଗଠନ ସମ୍ପର୍କରେ ବିଭିନ୍ନ ଉପଦେଶାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ +୨ ପ୍ରଥମ ବର୍ଷର ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ମଧ୍ୟରେ ଆୟୋଜିତ ଏହି ସମାରୋହ ନବାଗତ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ