ଆଗକୁ ପଞ୍ଚାୟତ ନିର୍ବାଚନ: ପତିଆରା ପାଇଁ ଅଣ୍ଟା ଭିଡ଼ିଲେଣି ବିଜେପି, ବିଜେଡି ଓ କଂଗ୍ରେସ
ହାଟଡିହି(ଓ୍ବାଇଏନଏସ): ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତିରେ ଏବେଠାରୁ ଉଷ୍ମତା ଦେଖାଦେଲାଣି। ନିର୍ବାଚନ ପାଇଁ ଆନୁଷ୍ଠାନିକ ବିଗୁଲ ବାଜିନଥିଲେ ମଧ୍ୟ ଗାଁ ଗାଁରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେଉଁ ଦଳ କେଉଁ ପଞ୍ଚାୟତରେ ନିଜର ଦବଦବା ବଜାୟ ରଖିବ, କେଉଁଠି ପୁରୁଣା ଗଡ଼ ଭାଙ୍ଗିବ ଏବଂ କେଉଁଠି ନୂଆ ମୁହଁଙ୍କୁ ନେଇ ମଇଦାନକୁ ଓହ୍ଲାଇବ, ଏସବୁକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଅଙ୍କକଷା। ବିଜେପି, ବିଜେଡି ଓ କଂଗ୍ରେସ ଏହି ତିନି ପ୍ରମୁଖ ଦଳର ସ୍ଥାନୀୟ ନେତା ଓ କର୍ମୀମାନେ ନିଜ ନିଜ ସଂଗଠନକୁ ମଜବୁତ କରିବା ଦିଗରେ ଲାଗିପଡ଼ିଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଯେତିକି ପାଖେଇବ, ଗାଁ ରାଜନୀତି ସେତିକି ରୋଚକ ହେବ ବୋଲି ରାଜନୈତିକ ବିଶ୍ଳେଷକଙ୍କ ମତ। ବିଶେଷକରି ପଞ୍ଚାୟତ ସ୍ତରରେ ଦଳୀୟ ରାଜନୀତି ଅପେକ୍ଷା ବ୍ୟକ୍ତିଗତ ସମ୍ପର୍କ, ଲୋକପ୍ରିୟତା, ପରିବାରର ପ୍ରଭାବ ଓ ସ୍ଥାନୀୟ ସମସ୍ୟା ଅନେକ ସମୟରେ ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିଥାଏ। ଗତ ନିର୍ବାଚନରେ କେଉଁ ପଞ୍ଚାୟତରେ କାହାର ପ୍ରଭାବ ରହିଥିଲା, କେଉଁ ଅଞ୍ଚଳରେ କେଉଁ ନେତାଙ୍କ ସଂଗଠନ ମଜବୁତ ଏବଂ କେଉଁ ଅଞ୍ଚଳରେ ଦଳୀୟ ଭୋଟ୍ରେ ଭାଙ୍ଗଣ ଦେଖାଦେଇଥିଲା—ଏସବୁର ହିସାବ ନିକାଶ କରୁଛନ୍ତି ସ୍ଥାନୀୟ ନେତାମାନେ। ଏହା ସହିତ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଲୋକସମ୍ପର୍କ, ସାମାଜିକ ଗ୍ରହଣୀୟତା ଓ ନିଜ ଅଞ୍ଚଳରେ ପ୍ରଭାବକୁ ନେଇ ମଧ୍ୟ ଚାଲିଛି ଆଲୋଚନା। ବିଜେପି ନିଜର ସାଂଗଠନିକ ଶକ୍ତିକୁ ଆଧାର କରି ଅଧିକ ପଞ୍ଚାୟତରେ ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରି ଚାଲିଛି। ଶାସକ ଦଳ ହୋଇ ଥିବାରୁ ଅନେକ ଭିନ୍ନ ଭିନ୍ନ ଦଳର ପଞ୍ଚାୟତ ସ୍ତରୀୟ ନେତା ବିଜେପିରେ ସାମିଲ ହେବାରେ ଲାଗିଛନ୍ତି। ଆଲୋକ ସେଠୀଙ୍କ ନେତୃତ୍ୱରେ ଦଳ ଆଗକୁ ଆଗକୁ ବଢୁଥିବା ବେଳେ କାହାକୁ କେଉଁ ପଞ୍ଚାୟତରୁ ପାର୍ଥି କରାଯିବ ତାହାର ଯୋଜନା ମଧ୍ୟ କରାଯାଉଛି। ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ସଂଗଠନ ଦାୟିତ୍ୱ ନେଇ କର୍ମୀ ମାନଙ୍କୁ ସୁ ସଂଗଠିତ କରିବାରେ ଲାଗିଛନ୍ତି। ସେହିପରି ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ ଏଇ ଭିତରେ ଦୁଇ ଦୁଇଟି କର୍ମୀ ସମିଳନୀ କରି ବିଜେଡିର ପୂର୍ବସ୍ଥିତି କିପରି ବଜାୟ ରହିବ ସେନେଇ ଭିତରେ ଭିତରେ ପ୍ରସ୍ତୁତି ଜାରି ରଖିଛନ୍ତି। ସେହିପରି କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ଗାଁ କୁ ଗାଁ ବୁଲି କଂଗ୍ରେସ କର୍ମୀ ମାନଙ୍କୁ ସଂଘ ବଦ୍ଧ କରିବାକୁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ବିଶେଷ କରି ସବୁ ଦଳର ନେତା ମାନେ ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ସହ ନୂଆ ମୁହଁଙ୍କୁ ଆଗକୁ ଆଣିବା ନେଇ ଚର୍ଚ୍ଚା ରହିଛି। ଅନ୍ୟପଟେ ବିଜେଡି ମଧ୍ୟ ନିଜର ପୁରୁଣା ସଂଗଠନ ଓ ସ୍ଥାନୀୟ ନେତାଙ୍କ ପ୍ରଭାବକୁ ଆଧାର କରି ମଇଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। କଂଗ୍ରେସ ମଧ୍ୟ ନିଜର ପୁରୁଣା ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବା ସହ ଯୁବ ଓ ନୂଆ କର୍ମୀଙ୍କୁ ନେଇ ସଂଗଠନକୁ ଗତିଶୀଳ କରିବା ଉପରେ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି।ତେବେ ପଞ୍ଚାୟତ ନିର୍ବାଚନରେ କେବଳ ଦଳୀୟ ଚିହ୍ନ ନୁହେଁ, ପ୍ରାର୍ଥୀଙ୍କ ବ୍ୟକ୍ତିଗତ ପରିଚୟ ଓ ଲୋକଙ୍କ ସହ ସମ୍ପର୍କ ମଧ୍ୟ ଗୁରୁତ୍ୱ ବହନ କରିଥାଏ। ତେଣୁ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବଢ଼ିଲେ ଦଳ ଭିତରେ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ମଧ୍ୟ ମୁଣ୍ଡ ଟେକିପାରେ। କାହାକୁ ପ୍ରାର୍ଥୀ କରାଯିବ ଏବଂ କାହାକୁ ବୁଝାଇ ଦଳୀୟ ନିଷ୍ପତ୍ତି ସପକ୍ଷରେ ରଖାଯିବ, ଏହା ତିନି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଅନ୍ୟପଟେ ଗାଁ ଗହଳିରେ ଲୋକଙ୍କ ମଧ୍ୟରେ ମଧ୍ୟ ଆରମ୍ଭ ହୋଇଗଲାଣି ନିର୍ବାଚନୀ ଚର୍ଚ୍ଚା। ରାସ୍ତା, ପାନୀୟ ଜଳ, ଡ୍ରେନେଜ୍, ଆବାସ, ଭତ୍ତା, ବିଦ୍ୟୁତ୍, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସ୍ଥାନୀୟ ସମସ୍ୟା ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଲୋକେ ମଧ୍ୟ ନିଜ ଅଞ୍ଚଳର ବିକାଶ ଓ ସମସ୍ୟା ସମାଧାନକୁ ନେଇ ପ୍ରାର୍ଥୀଙ୍କଠାରୁ ଉତ୍ତର ଆଶା କରିବେ।
ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇବ, ସେତିକି ତିନି ଦଳ ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାର ଆଶା ରହିଛି। ତେବେ ଶେଷରେ କାହାର ପତିଆରା ବଢ଼ିବ, କିଏ ନିଜ ଗଡ଼ ବଜାୟ ରଖିବ ଏବଂ କିଏ ଅନ୍ୟର ଗଡ଼ରେ ସେନ୍ଧ ମାରିବ—ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ। ଏବେଠାରୁ କିନ୍ତୁ ପଞ୍ଚାୟତ ରାଜନୀତିରେ “ପାଗ ଭିଡ଼ା” ଆରମ୍ଭ ହୋଇଗଲାଣି।


