ଏସଆଇଆର କାର୍ଯ୍ୟରେ ବିଏଲଓଙ୍କ ପତ୍ନୀଙ୍କୁ ଗାଳିଗୁଲଜ ଅଭିଯୋଗ
ଧାମନଗର (ଓ୍ବାଇଏନଏସ): ଧାମନଗର ତହସିଲ ଅଧୀନରେ ଏସଆଇଆର କାର୍ଯ୍ୟରେ ନିୟୋଜିତ ବିଏଲଓଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଧାମନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ ପରେ ତାହାକୁ ଏତଲା ଭାବେ ଗ୍ରହଣ କରି ଆଇନାନୁଯାୟୀ ପଦକ୍ଷେପ ନେବାକୁ ଧୁଷୁରୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ଧୁଷୁରୀ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମର ଗଦାଧର ମଲ୍ଲିକ ଏସଆଇଆର କାର୍ଯ୍ୟରେ ବିଏଲଓ ଭାବେ ନିୟୋଜିତ ଅଛନ୍ତି। ଏସଆଇଆର କାର୍ଯ୍ୟ ପାଇଁ ସେହି ଗ୍ରାମର ରାମକାନ୍ତ ଜେନାଙ୍କ ପୁଅ ଭବାନୀ ଜେନା ଓ ତାଙ୍କ ମା’ ପ୍ରମିଳା ଜେନାଙ୍କ ଆଧାର ସମେତ ଅନ୍ୟାନ୍ୟ କାଗଜପତ୍ର ମଗାଯାଇଥିଲା। ତେବେ ସେମାନେ ଏହି କାଗଜପତ୍ର ଦେଇନଥିବା ଅଭିଯୋଗ ରହିଛି। ପରେ ଗଦାଧର ଘରେ ନଥିବା ସମୟରେ ରାମକାନ୍ତଙ୍କ ପାରିବାର ଲୋକେ ଘରେ ପହଞ୍ଚି ତାଙ୍କ ପତ୍ନୀ ବିଦୁଲତା ସାହୁଙ୍କୁ ଗାଳିଗୁଲଜ କରିବା ସହ କାହିଁକି ଡକ୍ୟୁମେଣ୍ଟ ମଗାଯାଉଛି ବୋଲି ପ୍ରଶ୍ନ କରିଥିବା ବିଦୁଲତା ଅଭିଯୋଗ କରିଛନ୍ତି। ଏନେଇ ବିଦୁଲତା ଧାମନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ପତ୍ନୀଙ୍କ ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରି ଆଇନନୁଯାୟୀ ପଦକ୍ଷେପ ନେବାକୁ ଧୁଷୁରୀ ଥାନା ଆଇଆଇସିଙ୍କୁ ଗତ ୧୧ ତାରିଖରେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ ପତ୍ର ଜାରି କରିଛନ୍ତି। ଏଥିସହିତ ଘଟଣା ସମ୍ପର୍କରେ ଧାମନଗର ଏସଡିପିଓ ଓ ଭଦ୍ରକ ସବ୍-କଲେକ୍ଟରଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ତହସିଲଦାର ସୂଚନା ଦେଇଛନ୍ତି।ତେବେ ତହସିଲଦାରଙ୍କ ନିର୍ଦ୍ଦେଶ ପରେ ଘଟଣା ଏବେ ନୂଆ ମୋଡ଼ ନେଇଛି। ଅଭିଯୋଗ ଆଧାରରେ ଧୁଷୁରୀ ପୁଲିସ ତଦନ୍ତରେ କି ପଦକ୍ଷେପ ନେଉଛି ତାହା ଏବେ ଗୁରୁତ୍ୱପୂର୍ଣ୍ଣ ତଥା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।


