ଆଜି ବିଶ୍ୱ ଅଙ୍ଗଦାନ ଦିବସ

ଆସିକା  (ୱାଇଏନ୍‍ଏସ୍‍): ଆଜି ଅଗଷ୍ଟ ମାସ ୧୩ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଅଙ୍ଗଦାନ ଦିବସ । ଅଙ୍ଗଦାନର ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧୩ ତାରିଖକୁ ବିଶ୍ୱ ଅଙ୍ଗଦାନ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଅଙ୍ଗଦାନ ଏକ ମହତ୍‍ କାର୍ଯ୍ୟ ହୋଇଥିଲା ବେଳେ ଜଣେ ଅଙ୍ଗଦାନ କଲେ ପ୍ରାୟ ୮ଟି ଜୀବନ ବଞ୍ଚାିଯାଇପାରିବ । ରୋଗୀର ଯେତେବେଳେ ମସ୍ତିଷ୍କର ମୃତ୍ୟୁ (ବ୍ରେନ୍‍ ଡେଡ୍‍) ହୋଇଯାଉଛି ତାର ଅଙ୍ଗପ୍ରତ୍ୟଙ୍ଗ ମୃତକଙ୍କ ପରିବାରବର୍ଗଙ୍କ ସହମତି ପ୍ରକାରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କଲେ ତାହା ଦ୍ୱାରା ଅନେକ ଜୀବନ ବଞ୍ଚି ଯାଇପାରୁଛି । ମୃତ୍ୟୁ ପରେ ମୃତକଙ୍କ ପରିବାରବର୍ଗଙ୍କ ସହମତି ପ୍ରକାରେ ହୃତ୍‍ପିଣ୍ଡ, ଲିଭର୍‍, କିଡନୀ ଭଳି ଶରୀରର କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅନ୍ୟର ଶରୀରରେ ପ୍ରତିରୋପଣ କରାଯାଇ ସେମାନଙ୍କୁ ନୁଆଁ ଜୀବନ ଦେବାରେ ସହାୟକ ହୋଇଥାଏ । ଯଦି କୌଣସି ବ୍ୟକ୍ତିର ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ବ୍ରେନ୍‍ ଡେଡ୍‍ ହୋଇଯାଇଥାଏ ତେବେ ମୃତକଙ୍କ ପରିବାର ଲୋକଙ୍କ ସହମତିରେ ତାଙ୍କ ଶରୀରରୁ ଆବଶ୍ୟକୀୟ ଅଙ୍ଗ ବାହାର କରାଯାଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇପାରିବ । ମୃତ୍ୟୁ ପରେ ମୃତକଙ୍କ ଅଙ୍ଗ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଛି । ଏଚ୍‍ଆଇଭି, କ୍ୟାନ୍ସର କିମ୍ବା ଅନ୍ୟ କୌଣସି ସଂକ୍ରମଣ ରୋଗ ଥିଲେ ଅଙ୍ଗଦାନ କରାଯାଇପାରିବ ନାହିଁ । ପ୍ରତିବର୍ଷ ଅଗଷ୍ଟ ମାସ ୧୩ ତାରିଖକୁ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଉଥିଲା ବେଳେ ଅଙ୍ଗଦାନ ବିଷୟରେ କୌଣସି ଗୁଜବ କିମ୍ବା ଭୂଲ୍‍ ଧାରଣାର ବଶବର୍ତ୍ତୀ ନହୋଇ ମହତ୍‍ କାର୍ଯ୍ୟ ପାଇଁ ଆଗେଇ ଆସି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ମୃତକଙ୍କ ପରିବାରବର୍ଗଙ୍କ ସହମତି ନେଇ ମୃତକଙ୍କ କିଡନୀ, ଲିଭର୍‍ (ଯକୃତ), ହୃଦୟ, ଫୁସ୍‍ଫୁସ୍‍, ଅଗ୍ନାଶୟ, ଅନ୍ତନଳୀ, ଚକ୍ଷୁର କନ୍ୟା ଇତ୍ୟାଦି ସଂଗ୍ରହ କରାଯାଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିବା ଦିଗରେ ସାଧାରଣ ଜନତା ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି । ଅଙ୍ଗଦାନ ଏକ ମହାନ୍‍ କାର୍ଯ୍ୟ ହୋଇଥିଲା ବେଳେ ଏହି ଧାରାରେ ସାଧାରଣ ଜନତା ସାମିଲ୍‍ ହେବାକୁ ଆହ୍ୱାନ କରିବା ସହ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅଙ୍ଗଦାନ ଅନେକାଂଶରେ ସହାୟକ ହୋଇଥାଏ । ଆଜିକାଲି ବିଭିନ୍ନ ସମୟରେ ଯେଉଁଭଳି ଭାବେ ଦୁର୍ଘଟଣା ବଢିଚାଲିଛି ସେହି ଅନୁସାରେ କେତେଜଣ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଅଙ୍ଗଦାନର ଆବଶ୍ୟକତା ରହିଛି । ମୃତ୍ୟୁ ନିରାଟ ସତ୍ୟ । ଏହି କଥାକୁ ଆମେ ଗ୍ରହଣ କରିବାକୁ ପଡିବ । କିନ୍ତୁ ଅଙ୍ଗଦାନ ଦ୍ୱାରା ହୁଏତ ଜଣେ ଗୁରୁତର ରୋଗୀ ଆରୋଗ୍ୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇନ ଅନୁସାରେ ଯଦି ଜଣେ ଅଙ୍ଗଦାନ କରିବାକୁ ଚାହାଁନ୍ତି ତେବେ ଏଥିସକାଶେ ତାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଓ ସହମତିର ଆବଶ୍ୟକତା ରହିଛି । ଅଙ୍ଗଦାନ ସଂପର୍କରେ ଜନସାଧାରଣ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ