ଚିତଉ ଅମାବାସ୍ୟାରେ ନିଆରା ମାଛି ପୂଜା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବୁଧବାର ପବିତ୍ର ଶ୍ରାବଣ ଅମାବାସ୍ୟା ଯାହାକୁ ଚିତାଲାଗି ଅମାବାସ୍ଯା କୁହାଯାଏ । ଏହି ପରିପେକ୍ଷୀରେ ସମଗ୍ର ଗଜପତି ଜିଲ୍ଲାରେ ଏହା ପାଳିତ ହୋଇଯାଇଛି ଏହି ନିଆରା ପର୍ବ । ଓଡ଼ିଆଙ୍କ ବାରମାସରେ ତେର ପରବ ମଧ୍ଯରୁ ଶ୍ରାବଣ ମାସ ଅମାବାସ୍ଯା ଗୋଟିଏ । ଏହି ଦିନ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରେ ଚିତାଲାଗି କରାଯାଇଥାଏ । ଗାଁଗହଳିରେ ଚିତଉ ଅମାବାସ୍ଯା ବୋଲି କୁହନ୍ତି । ଶ୍ରୀ ମନ୍ଦିର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ବିଧି ବିଧାନ ଅନୁଯାୟୀ ପାଳନ କରାଯାଉଥିବା ଏହି ପର୍ବରେ ମୁଖ୍ଯତଃ ଚାଉଳ ଓ ନଡିଆ ଏକତ୍ର ବଟାଯାଇଥିବା ପିଠଉ ରେ ତିଆରି ଚିତଉ (ଗୋଟିଏ ପ୍ରକାର ଚକୁଳି) ତିଆରି କରି ସମସ୍ତ ଦେବାଦେବୀଙ୍କୁ ପୂଜା କରାଯାଏ । ଚା ସହିତ ଚାଷୀ ମାନେ ନିଜ ନିଜର ଚାଷଜମି ମଧ୍ଯରେ କାଦୁଅରେ ନଚେତ୍ ତଳିଘେରାରେ ଚିତଉ ପୂଜା କରି ପୋତି ଦିଅନ୍ତି । କୁହାଯାଏ ଯେ ଏପରି କରିବା ଦ୍ବାରା ଗେଣ୍ଡା ସାମୁକା ଜୋକ ଆଦି ସରୀସୃପ ଚାଷୀର ଗୋଡ଼ କାମୁଡି ନଥାନ୍ତି । ଏହାସହ ପ୍ରତି ଘରର ନୈଋତ କୋଣରେ ମଧ୍ଯ ଚିତଉ ଟିକିଏ ପୂଜା କରାଯାଏ ଯାହାକି ମାଛିକାଛି ପୂଜା ବୋଲି କୁହାଯାଏ । ରଥଯାତ୍ରା ସମୟରେ ବହୁତ ମାଛି ଓ ମଶା ହୁଅନ୍ତି ପରେ ବର୍ଷା ଋତୁ ଯୋଗୁଁ ଚାରିଆଡ଼େ ଶୀଘ୍ର ବ୍ୟାପି ଯାଆନ୍ତି । ଏହି ପୂଜା ଦ୍ବାରା ମାଛି କମିଯାଏ ବୋଲି ଲୋକେ କୁହନ୍ତି । ଏପରି ପରମ୍ପରାକୁ ନେଇ ଚାଲିଥିବା ଏହି ପୂଜା ଆଜି ଗୋଷାଣିର ଗାଁ ଗାଁ ରେ ଚାଷୀମାନେ ପାଳନ କରିଛନ୍ତି । ସେହିପରି ଆଜି ପାରଳାଖେମୁଣ୍ଡିପ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା । ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଆସ୍ଥାରେ ଭରିଉଠିଛି ପରିବେଶ । ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରି ଭକ୍ତମାନେ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହା ଏକ ପାରମ୍ପରିକ ପବିତ୍ର ତିଥି । ଆଜି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ଶୃଙ୍ଗାର ଅନୁଷ୍ଠିତ ହୋଇଥିଲା, ମହାପ୍ରଭୁ ଙ୍କ ଦିବ୍ୟ ରୂପ ଦର୍ଶନ ପାଇଁ ଭକ୍ତମାନଙ୍କ ମନରେ ବିଶେଷ ଆଗ୍ରହ ଦେଖାଯାଇଥିଲା । ଓଡ଼ିଶାର କୃଷି ଓ ଗ୍ରାମୀଣ ପରମ୍ପରା ସହ ମଧ୍ୟ ଜଡ଼ିତ ଏହି ପୂଜା । ଚାଷୀମାନେ ଭଲ ବର୍ଷା, ଭଲ ଫସଲ ଓ କୃଷିକାର୍ଯ୍ୟରେ ସଫଳତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଧାନ ଚାଷ ସହ ଜଡ଼ିତ ଏହି ପର୍ବ ଗ୍ରାମାଞ୍ଚଳରେ ଆସ୍ଥା ଓ ପରମ୍ପରାର ସହିତ ପାଳିତ ହୋଇଥାଏ ।


