ରେଡିମେଡ୍ ଯୁଗରେ ହଜିଯାଉଛି ଦରଜୀଙ୍କ କୌଳିକ ବୃତ୍ତି
ଆସିକା (ୱାଇଏନ୍ଏସ୍): ଆଧୁନିକ ଯୁଗରେ ରେଡିମେଡ୍ ପୋଷାକର ଚାହିଦା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ବର୍ଷ ବର୍ଷ ଧରି ସିଲେଇ ଦୋକାନରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଥିବା ବହୁ ଦରଜୀ ସେମାନଙ୍କ କୌଳିକ ବୃତ୍ତିକୁ ହରାଇବାକୁ ବସିଲେଣି । ଦରଜୀ ବୃତ୍ତିକୁ ଆଦରି ନେଇ ଯେଉଁମାନେ ବର୍ଷର ବିଭିନ୍ନ ପର୍ବପର୍ବାଣୀ ଠାରୁ ଆରମ୍ଭ କରି ଗ୍ରାହକଙ୍କ ଆବଶ୍ୟକତା ସମୟରେ ଲୋକଙ୍କ ଠାରୁ ପୋଷାକ ମାପ ନେଇ ସିଲେଇ ମେସିନ୍ରେ ପ୍ୟାଣ୍ଟ ଓ ସାର୍ଟ ତିଆରି କରି ଗ୍ରାହକଙ୍କୁ ଯୋଗାଇ ସେଥିରୁ ମିଳୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ଆଧୁନିକତାର ଛାପରେ ସମୟକ୍ରମେ ଲୋକଙ୍କ ସାମାଜିକ ଚଳଣି ବଦଳିବା ହେତୁ ସର୍ବାଧିକ ବ୍ୟକ୍ତି ଆଉ ପୂର୍ବପରି ପୋଷାକ ସିଲେଇ କରି ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଆଗରୁ ଲୋକେ ପୋଷାକ ତିଆରି କରିବା ପାଇଁ ବଜାରରୁ ନିଜ ମନ ପସନ୍ଦର କପଡା କ୍ରୟ କରିବା ପରେ ଦରଜୀଙ୍କ ନିକଟକୁ ଯାଇ ନିଜକୁ ଫିଟିଂ ଲାଗିଲା ଭଳି ପ୍ୟାଣ୍ଟସାର୍ଟ ସିଲେଇ କରି ପିନ୍ଧୁଥିଲେ । ବିଶେଷକରି ବିଭିନ୍ନ ପର୍ବପର୍ବାଣୀ ସମୟରେ ଦରଜୀ ବୃତ୍ତିକୁ ଆଦରି ନେଇଥିବା ଆସିକା ଅଞ୍ଚଳର ଅଧିକାଂଶ କାରିଗରଙ୍କୁ କିଛି ଦିନ ପାଇଁ ବିଶ୍ରାମ ମଧ୍ୟ ମିଳୁନଥିଲା । ଦରଜୀ କାରିଗରମାନେ ଦିନରାତି ଏକାକାର କରି ଗ୍ରାହକଙ୍କ ଆବଶ୍ୟକତା ଓ ମନପସନ୍ଦକୁ ଦୃଷ୍ଟିରେ ରଖି ପ୍ୟାଣ୍ଟ ଓ ସାର୍ଟ ତିଆରି କରି ବେଶ୍ ଦୁଇ ପଇସା ରୋଜଗାର କରିବା ସହ ହସଖୁସିରେ ପରିବାର ପ୍ରତିପୋଷଣ କରିଆସୁଥିଲେ ଓ କିଛି ଅର୍ଥ ମଧ୍ୟ ଭବିଷ୍ୟତ ପାଇଁ ସଞ୍ଚୟ କରିରଖୁଥିଲେ । ତେବେ ବିଗତ କିଛି ବର୍ଷ ହେଲା ଆସିକା ଅଞ୍ଚଳରେ ସପିଂ ମଲ୍ ଠାରୁ ଆରମ୍ଭ କରି ବହୁ ରେଡିମେଡ୍ ଗାର୍ମେଣ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ସାଙ୍ଗକୁ ଗ୍ରାହକଙ୍କୁ ଖୁବ୍ ନିଖୁଣ ଡିଜାଇନ୍ ସହ ହତପାଆନ୍ତାରେ କମ୍ ସମୟରେ ମଧ୍ୟରେ ସ୍ୱଳ୍ପ ମୂଲ୍ୟରେ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ବିଭିନ୍ନ ରକମର ପୋଷାକ ଉପଲବ୍ଧ ହୋଇପାରୁଛି । ଯାହାରି ଫଳରେ ବହୁ ଯୁବପିଢୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପୂର୍ବଭଳି ପ୍ୟାଣ୍ଟ ଓ ସାର୍ଟ ତିଆରି ପାଇଁ ଦୋକାନରୁ କପଡା କିଣି ଦରଜୀଙ୍କ ନିକଟକୁ ଯାଇ ସିଲେଇ କରିବା ପାଇଁ ଆଉ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଯେତେବେଳେ ଜଣେ ବ୍ୟକ୍ତି ଇଛା ପ୍ରକାଶ କରୁଛି ସେତେବେଳେ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ସପିଂ ମଲ୍ ବା ରେଡିମେଡ୍ ଦୋକାନକୁ ଯାଇ ନିଜ ମନ ପସନ୍ଦର ପୋଷାକ କିଣିପାରୁଛି ତାହା ବି ପୁଣି କମ୍ ଖର୍ଚ୍ଚ ସାଙ୍ଗକୁ ଆଧୁନିକ ଓ ନିଖୁଣ ଡିଜାଇନ୍ରେ ପ୍ରସ୍ତୁତ ହୋଇଥିବା ପୋଷାକ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ରେଡିମେଡ୍ ପୋଷାକ ଦୋକାନ ଦିନକୁ ଦିନ ଅଧିକରୁ ଅଧିକ ଖୋଲିବାରେ ଲାଗିଛି । ଯାହା ଫଳରେ ଆସିକା ଅଞ୍ଚଳର ବହୁ ଦରଜୀ କାରିଗରମାନଙ୍କ ପେଟପାଟଣା ଏକପ୍ରକାର ବନ୍ଦ ହେବାରେ ଲାଗିଲାଣି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିଲେ ମଧ୍ୟ ବହୁ ଦରଜୀ କାରିଗର ଏବେବି ଦୁଃଖେକଷ୍ଟେ ସେମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ଏପରି ସ୍ଥିତିରେ ଦରଜୀ କାରିଗରମାନଙ୍କ ହାତତିଆରି ନିଖୁଣ ସିଲେଇ କାର୍ଯ୍ୟକୁ ବଞ୍ଚାଇ ରଖିବା ପାଇଁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ସାଙ୍ଗକୁ ସରକାରୀ ସ୍ତରରେ ବଜାର ସୁବିଧା କରିବା ଜରୁରୀ ହୋଇପଡିଛି ବୋଲି କେତେକ ମହଲରେ ମତ ପ୍ରକାଶ ପାଉଛି ।


