ସାର କଳାବଜାରୀ ଅଭିଯୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ସେବା ସମବାୟ ସମିତିରେ ସାର କଳାବଜାରୀ ହୋଇଥିବା ଅଭିଯୋଗ ସୂଚନା ପାଇ ଗୁରୁବାର ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ସ୍ମୁତି ରଞ୍ଜନ ସ୍ବାଇଁ ସମିତି କାର୍ଯ୍ୟାଳୟ ଓ ଗୋଦାମରେ ପହଞ୍ଚି ସ୍ଥିତି ତଦାରଖ କରିଥିବା ଜଣାଯାଇଛି l ତଦାରଖ ସମୟରେ ସମିତିର ଗୋଦାମ ଗୃହରେ କମ୍ ପରିମାଣର ସାର ଷ୍ଟକ ଥିବା, ସାରକୁ ଅନ୍ୟ ସ୍ଥାନରେ ଷ୍ଟକ ରଖି ବିକ୍ରି କରାଯାଉଥିବା, ଷ୍ଟକ୍ ଓ ବିକ୍ରୟ ସମ୍ବନ୍ଧୀୟ ରେଜିଷ୍ଟର ଠିକ୍ ଭାବେ ପରିଚାଳନା ନହେବା ଏବଂ ସାର ଓ କୀଟନାଶକର ସରକାରୀ ଧାର୍ଯ୍ୟ ମୂଲ୍ୟ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ନହେବା ଭଳି ଗୁରୁତର ବିଷୟ ତାଙ୍କ ନଜରକୁ ଆସିଥିଲା l ଚାଷୀଙ୍କ ହକ୍ର ସାରରେ କୌଣସି ପ୍ରକାର ଅନିୟମିତତା କିମ୍ବା କଳାବଜାରୀକୁ ବରଦାସ୍ତ କରାଯିବ ନାହିଁ। ଏ ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଭଦ୍ରକ ଜିଲ୍ଲାପାଳଙ୍କୁ ସମଗ୍ର ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ, ଷ୍ଟକ୍ ଓ ବିକ୍ରୟ ରେକର୍ଡ ଯାଞ୍ଚ ଏବଂ ଅନିୟମିତତା ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଜୁ ସେ ଦାବି କରିଛନ୍ତି lଚାଷୀଙ୍କ ସ୍ୱାର୍ଥ ସହ କୌଣସି ସାଲିସ୍ ନାହିଁ। ଚାଷୀଙ୍କ ହକ୍ର ସାର ଚାଷୀଙ୍କ ପାଖରେ ହିଁ ପହଞ୍ଚିବା ଦରକାର ବୋଲି ଶ୍ରୀ ସ୍ବାଇଁ କହିଛନ୍ତି l


