ବାଲେଶ୍ଵର–ଖଡ଼ଗପୁର NH-60କୁ ୬-ଲେନ୍ କରିବାକୁ ନୀତିନ ଗଡକରୀଙ୍କୁ ଦାବି
ନୂଆଦିଲ୍ଲୀ(ସରୋଜ ପଣ୍ଡା): ବାଲେଶ୍ୱର–ଖଡ଼ଗପୁର NH-60ର ୧୨୦ କିଲୋମିଟର ରାସ୍ତାକୁ ବର୍ତ୍ତମାନର ୪-ଲେନ୍ରୁ ୬-ଲେନ୍କୁ ସମ୍ପ୍ରସାରଣ କରିବା ନେଇ ଦୀର୍ଘଦିନର ଜନଦାବି ସମ୍ପର୍କରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ମାନନୀୟ ଶ୍ରୀ ନୀତିନ ଗଡକରୀଙ୍କୁ ଭେଟି ଅବଗତ କରାଯାଇଛି। ଗତ ଚାରି ବର୍ଷରୁ ଅଧିକ ସମୟ ଧରି ବାଲେଶ୍ୱର–ଖଡ଼ଗପୁର ରାସ୍ତାର କ୍ଷମତା ବୃଦ୍ଧି, ସଡ଼କ ସୁରକ୍ଷା ଓ ଅଞ୍ଚଳର ଆର୍ଥିକ ବିକାଶ ପାଇଁ ଏହି ଦାବି ଉପରେ ଦୃଷ୍ଟି ଆକର୍ଷଣ କରାଯାଇଆସୁଛି। ଭୁବନେଶ୍ୱର–କୋଲକାତା କରିଡରର ମୋଟ ଦୂରତା ପ୍ରାୟ ୪୬୫ କିଲୋମିଟର। ଏଥିରେ ଭୁବନେଶ୍ୱର–ବାଲେଶ୍ୱର NH-16ର ପ୍ରାୟ ୨୧୦ କିଲୋମିଟର ଏବଂ ଖଡ଼ଗପୁର–କୋଲକାତା NH-16ର ପ୍ରାୟ ୧୩୫ କିଲୋମିଟର ରାସ୍ତା ୬-ଲେନ୍ ରହିଛି। କିନ୍ତୁ ବାଲେଶ୍ୱର–ଖଡ଼ଗପୁର NH-60ର ପ୍ରାୟ ୧୨୦ କିଲୋମିଟର ଅଂଶ ଏବେ ମଧ୍ୟ ୪-ଲେନ୍ ରହିଛି। ଫଳରେ ସମଗ୍ର କରିଡରର ଏହି ଅଂଶଟି ଏକ ପ୍ରମୁଖ ‘ବଟଲନେକ୍’ ଭାବେ ପରିଣତ ହେଉଛି। ଏହାର ପ୍ରଭାବରେ ବିଭିନ୍ନ ସମୟରେ ଟ୍ରାଫିକ୍ ଜାମ୍, ଦୁର୍ଘଟଣା, ଯାତ୍ରା ସମୟ ବୃଦ୍ଧି ଓ ପରିବହନ ଖର୍ଚ୍ଚ ବଢ଼ିବା ଭଳି ସମସ୍ୟା ଦେଖାଦେଉଛି। ଏହା ସହିତ ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ଓ ଅଞ୍ଚଳର ସାମଗ୍ରିକ ଆର୍ଥିକ ବିକାଶ ମଧ୍ୟ ପ୍ରଭାବିତ ହେଉଥିବା ଦର୍ଶାଯାଇଛି। ନିର୍ଦ୍ଧାରିତ ଟ୍ରାଫିକ୍ ମାନଦଣ୍ଡ ପୂରଣ ନ ହେବାର ଯୁକ୍ତି ଦିଆଯାଉଥିଲେ ମଧ୍ୟ, ଅପର୍ଯ୍ୟାପ୍ତ ସଡ଼କ କ୍ଷମତା ନିଜେ ଟ୍ରାଫିକ୍ ପ୍ରବାହକୁ ସୀମିତ କରୁଥିବା ଦାବି କରାଯାଇଛି। ତେଣୁ କେବଳ ବର୍ତ୍ତମାନର ଟ୍ରାଫିକ୍ ତଥ୍ୟକୁ ନୁହେଁ, ଭବିଷ୍ୟତର ଯାତାୟାତ ଆବଶ୍ୟକତା ଓ ବୃହତ୍ତର ଜନସ୍ୱାର୍ଥକୁ ବିଚାର କରିବାକୁ ଅନୁରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ନିର୍ଦ୍ଧାରିତ ଟ୍ରାଫିକ୍ ମାନଦଣ୍ଡର ସର୍ତ୍ତରେ ସ୍ୱତନ୍ତ୍ର ବିଚାର କରି ବାଲେଶ୍ୱର–ଖଡ଼ଗପୁର NH-60ର ୧୨୦ କିଲୋମିଟର ଅଂଶକୁ ୪-ଲେନ୍ରୁ ୬-ଲେନ୍କୁ ସମ୍ପ୍ରସାରଣ ପାଇଁ ବିଶେଷ ମାମଲା ଭାବେ ଅନୁମୋଦନ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଅନୁରୋଧ କରାଯାଇଛି। ଏହି ସମ୍ପ୍ରସାରଣ କାର୍ଯ୍ୟ ହେଲେ ବାଲେଶ୍ୱର–ଖଡ଼ଗପୁର ମଧ୍ୟରେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ଓ ସୁରକ୍ଷିତ ହେବା ସହିତ ଯାତ୍ରା ସମୟ ଓ ପରିବହନ ଖର୍ଚ୍ଚ ହ୍ରାସ ପାଇବ। ଏହା ସହିତ ଭୁବନେଶ୍ୱର–କୋଲକାତା କରିଡରର ସମଗ୍ର ଯାତାୟାତ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ଏବଂ ଉତ୍ତର ଓଡ଼ିଶା ସମେତ ସମଗ୍ର ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶକୁ ଗତି ମିଳିବ ବୋଲି ଆଶା ପ୍ରକାଶ କରାଯାଇଛି।


