ଆଟ୍ ହୋମ୍ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସେଠୀ
ଛତ୍ରପୁର, (ଓ୍ବାଇଏନଏସ): ସ୍ୱାଧୀନତା ଦିବସ ଅବସରରେ ରାଜଭବନସ୍ଥ ଲୋକ ସେବା ଭବନରେ ଆୟୋଜିତ ହେବାକୁ ଥିବା “ଆଟ୍ ହୋମ୍” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟର ୧୫ ଜଣ ଜାତୀୟ ଓ ରାଜ୍ୟ ସ୍ତରୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ତାଲିକା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ସିଂହଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି। ଆସନ୍ତା ୧୫ ଅଗଷ୍ଟ ସନ୍ଧ୍ୟା ୬.୧୫ରେ ଲୋକ ସେବା ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀଙ୍କୁ ଯୋଗଦେବା ନିମନ୍ତେ ଡାକରା ଆସିଛି l ଏନେଇ ଏକ ଚିଠି ଯୋଗେ ତାଲିକା ପ୍ରକାଶ ପାଇଛି l ସୂଚନା ଯୋଗ୍ୟ ୨୦୨୧ ମସିହାରେ ଶ୍ରୀ ସେଠୀ ଗୁରୁ ଦିବସରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କାର ପାଇଥିଲେ l


