ସ୍ୱାଧୀନତା ଦିବସରେ ଦି ନିୟୁ ଏଜ୍ ୟୁରୋ ସ୍କୁଲର ଛାତ୍ରଛାତ୍ରୀଙ୍କ ଏକାଧିକ ପୁରସ୍କାର ହାସଲ

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଛତ୍ରପୁର ପୋଲିସ ପଡ଼ିଆଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ୮୦ତମ ସ୍ୱାଧୀନତା ଦିବସ–୨୦୨୬ ଉତ୍ସବରେ ଦି ନିୟୁ ଏଜ୍ ୟୁରୋ ସ୍କୁଲ (ୟୁରୋକିଡ୍ସ)ର ଛାତ୍ରଛାତ୍ରୀମାନେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କର ପ୍ରଶଂସା ସାଉଁଟିବା ସହ ଏକାଧିକ ପୁରସ୍କାର ହାସଲ କରିଛନ୍ତି।
ଦେଶମାତୃର ବଳିଦାନ ଓ ଦେଶପ୍ରେମ ଆଧାରିତ ଶାରୀରିକ କ୍ରୀଡା ପ୍ରଦର୍ଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଠାରୁ ପୁରସ୍କୃତ ହୋଇଥିଲେ।
ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଏସ୍ପି ହରିଶ ବିଶିଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ସେହିପରି ମିଳିତ ପ୍ୟାରେଡରେ ବିଦ୍ୟାଳୟର ସିଭିଲିଆନ ଓ ଜୁନିଅର ଗାର୍ଲସ ସିଭିଲିଆନ ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ରଚନା ଓ ଦେଶାତ୍ମବୋଧକ ସଙ୍ଗୀତ ଭଳି ବିଭିନ୍ନ ବିଭାଗରେ ସେମାନେ ସଫଳତା ଅର୍ଜନ କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ସ୍ଥାନୀୟ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କ ସଫଳତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ବିଦ୍ୟାଳୟର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର, ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ପ୍ରିନ୍ସିପାଲ ତପସ୍ୱିନୀ ସାହୁ, ଏକାଡେମିକ ଡାଇରେକ୍ଟର ପ୍ରମୋଦ ମିଶ୍ର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବାକୁ ଶୁଭେଚ୍ଛା ଜଣାଇଛନ୍ତି।


