ଅଭିନବ ଉପାୟରେ ସାଇବର ଠକେଇ: ମହିଳାଙ୍କ ଜମାଖାତାରୁ ଲକ୍ଷାଧିକ ଟଙ୍କା ଲୁଟ୍
ଦିଗପହଣ୍ଡି (ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମର ପି. ମିନି ରେଡ୍ଡୀ ନାମ୍ନୀ ଜଣେ ଗର୍ଭବତୀ ମହିଳା ଙ୍କ ବ୍ୟାଙ୍କ୍ ଜମାଖାତା ରୁ ଅଭିନବ ଉପାୟରେ ସାଇବର ଅପରାଧି ମାନେ ୧,୨୭,୩୯୩ ଟଙ୍କା ଲୁଟି ନେଇଥିବା ସେ କହିଛନ୍ତି।ଠକେଇ ର ଶିକାର ହୋଇଥିବା ମିନି ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୪୮/୨୬ ବିଏନଏସ ର ଦଫା – ୩୧୯(୨)/୩୧୮(୪) ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ସାଇବର ଅପରାଧି ମାନେ ପ୍ରଥମେ ଗ୍ରାମର ଆଶାକର୍ମୀ ଏମ୍. ଜୟନ୍ତୀ ରେଡ୍ଡୀ ଙ୍କୁ ଫୋନ କରି ଗ୍ରାମର ଗର୍ଭବତୀ ମହିଳା ଙ୍କ ପାଇଁ ମମତା ଯୋଜନାରେ ୯ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦିଆଯିବ।ତେଣୁ ଗ୍ରାମର କୌଣସି ଗର୍ଭବତୀ ମହିଳା ଙ୍କ ଫୋନ ନଂ କୁ କନଫେରେନ୍ସ ଯୋଗେ ଯୋଗାଯୋଗ କରିବାକୁ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ କରି କହିଥିଲେ।ସେ ନିଜକୁ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇଥିଲେ।ଆଶାକର୍ମୀ ଜଣକ ଗ୍ରାମର ଗର୍ଭବତୀ ମହିଳା ମିନି ଙ୍କୁ ଫୋନ କରି କନଫେରେନ୍ସ ଜରିଆରେ ଯୋଗାଯୋଗ କରାଇ ଦେଇଥିଲେ।ପରେ ଅତି ଚତୁରତାର ସହ ସାଇବର ଅପରାଧି ଜଣକ ମିନି ଙ୍କୁ ମମତା ଯୋଜନାରୁ ତାଙ୍କୁ ସହାୟତା ଅର୍ଥରାଶି ମିଳିବାର ପ୍ରଲୋଭନ ଦେଖାଇ ତାଙ୍କୁ ମୋବାଇଲ ରେ ଫୋନ – ପେ ଆପ୍ଲିକେସନ୍ ଖୋଲିବାକୁ କହିଥିଲେ।ପରେ ସେ ପଠାଇଥିବା ଏକ ଲିଙ୍କ୍ କୁ କ୍ଲିକ୍ କରିବାକୁ କହିଥିଲେ। ମିନି ତାଙ୍କ ଫୋନ ରେ ଲିଙ୍କ୍ ଖୋଲିବା ପରେ କୌଶଳକ୍ରମେ ତାଙ୍କ ୟୁପିଆଇ ପିନ୍ ନଂ ମାଗିନେଇ ଦିଗପହଣ୍ଡି ସ୍ଥିତ ୨ ଟି ରାଷ୍ଟ୍ରାୟତ ବ୍ୟାଙ୍କ ଶାଖା ରେ ଥିବା ଜମାଖାତା ରୁ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୨୭,୩୯୩ ଟଙ୍କା ଲୁଟି ନେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।ମିନି ଙ୍କ ମୋବାଇଲ କୁ ଟଙ୍କା ଉଠାଣ ସମ୍ପର୍କିତ ମେସେଜ ଆସିବା ପରେ ସେ ଅବାକ୍ ହୋଇଯାଇଥିଲେ। ଏନେଇ ସେ ଆଶାକର୍ମୀ ଙ୍କୁ ସମସ୍ତ ଘଟଣା ଜଣାଇଥିଲେ।ପରେ ଉଭୟେ ପରିବାର ଲୋକଙ୍କ ସହ ବ୍ରହ୍ମପୁର ସାଇବର ଥାନା ଏବଂ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବା ପରେ ପୋଲିସ ମକଦ୍ଦମା ରୁଜୁ କରିଥିବା ମିନି କହିଛନ୍ତି।


