ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହରେ ଯାଜପୁର ଜିଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଜିଲ୍ଲାପାଳ
ଯାଜପୁର,(ପ୍ରଦୀପ କୁମାର ମଲ୍ଲିକ): ପ୍ରଶାସନିକ ଭବନ ପଡ଼ିଆରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସଙ୍ଗୀତ ଏବଂ ବନ୍ଦେ ମାତରଂ ଗାନ କରାଯାଇଥିଲା। ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ନିଜ ଅଭିଭାଷଣରେ ସ୍ୱାଧୀନତା ଦିବସ ଅବସରରେ ଐତିହ୍ୟ ସମୃଦ୍ଧ ଯାଜପୁର ଜିଲ୍ଲାବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ କର କହିଥିଲେ ଯେ ଅଗଷ୍ଟ ୧୫ କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରରେ କେବଳ ଗୋଟିଏ ଦିନ ନୁହେଁ। ଏହାକୁ ଭାରତର ପୁନର୍ଜନ୍ମର ଦିନ କହିବାରେ କୌଣସି ଦ୍ୱିଧା ନାହିଁ। ସ୍ୱାଧୀନତା କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ। ସ୍ୱାଧୀନତା ହେଉଛି ଭୟରୁ ମୁକ୍ତି, ଦାରିଦ୍ର୍ୟରୁ ମୁକ୍ତି, ଅଶିକ୍ଷାରୁ ମୁକ୍ତି, ଆର୍ଥିକ ଅସମାନତାରୁ ମୁକ୍ତି ଏବଂ ଅନ୍ଧବିଶ୍ୱାସରୁ ମୁକ୍ତି, ରୋଗରୁ ମୁକ୍ତି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲାପାଳ କହିଥିଲେ ଯେ ପ୍ରଶାସନ କେବଳ ନିୟମ କାନୁନ ପାଳନର ଏକ ବ୍ୟବସ୍ଥା ନୁହେଁ; ପ୍ରଶାସନ ହେଉଛି ଲୋକସେବାର ଏକ ମାଧ୍ୟମ। ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହରେ ଯାଜପୁର ଜିଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାସହ ଜିଲ୍ଲାପାଳ ଶ୍ରୀ କର ବକ୍ତବ୍ୟରେ ଯାଜପୁରରେ ବନ୍ୟା ନିୟନ୍ତ୍ରଣ ଏବଂ ଏଦିଗରେ ପ୍ରଶାସନର ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ପରେ ମୁଖ୍ୟ ଅତିଥି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଏବଂ ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ମନୋଜ କୁମାର ସେନାପତିଙ୍କୁ ଆକୁଳି ଚରଣ ମେକାପ ମେମୋରିଆଲ ଟ୍ରଫି ଓ ମାନପତ୍ର, ଯାଜପୁର ଜିଲ୍ଲାରେ ୨୦୨୬ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଶୁଭମ ସାହୁ, ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟ, କାକୁଡିକୁଦ ଙ୍କୁ ଉର୍ମିଳା ସାହୁ ସ୍ମାରକୀ ମାନପତ୍ର ଓ ପ୍ରୋତ୍ସାହନ ରାଶି ଟ. ୩,୦୦୦/- ଖଗେଶ୍ୱର ସାମଲ ମେମୋରିଆଲ ସିଲ୍ଡ ଓ ପ୍ରୋତ୍ସାହନ ରାଶି ଟ. ୫,୦୦୦/- ଛାତ୍ରୀ ସୟୋମ ଶ୍ରୀ ମହାପାତ୍ର, ଶେଷଦେବ ବାସନ୍ତୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱରପୁରଙ୍କୁ ଶୁଭଶ୍ରୀ ନନ୍ଦ ମେମୋରିଆଲ ଟ୍ରଫି, ମାନପତ୍ର ଓ ଆର୍ଥିକ ପ୍ରୋତ୍ସାହନ ରାଶି ଟ. ୧,୫୦୦/- ଜିଲ୍ଲାର ଶ୍ରେଷ୍ଠ କ୍ରୀଡ଼ାବିତ ଗୋଲାପୀ ଶିର୍କା, ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଏବଂ ଶିକ୍ଷୟତ୍ରୀ ସୁପ୍ରଭା ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ମିଳିତ ପ୍ୟାରେଡରେ ସଶସ୍ତ୍ର ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଏନ୍.ସି.ସି. ସ୍କାଉଟ୍ ଓ ଗାଇଡ, ସିଭିଲିଆନ ଦଳଙ୍କୁ ନେଇ ମୋଟ ୫୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ କବିବର ଦେହୁରୀ ଓ ସର୍ଜେଣ୍ଟ ମନୋଜ କୁମାର ସାହୁ ପ୍ୟାରେଡ ପରିଚାଳନା କରିଥିଲେ। ପ୍ୟାରେଡରେ ମଧ୍ୟ ଇଂରାଜୀ ସ୍ତରୀୟ(ସିଭିଲିଆନ) ରେ ପ୍ରଥମ ସ୍ଥାନ – ଆପେକ୍ସ ଇଂରାଜୀ ମିଡିଅମ, ସିଭିଲ ଗାର୍ଲ୍ସ, ଦ୍ୱିତୀୟ ସ୍ଥାନ – ଏସ.ବି.ସି ଇଣ୍ଟରନେସନାଲ ସ୍କୁଲ,ସିଭିଲ ଗାର୍ଲ୍ସ, ତୃତୀୟ ସ୍ଥାନ – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଯାଜପୁର ନଗର ଜୁନିଅର୍ ସିଭିଲ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ (ସିଭିଲିଆନ)ରେ ପ୍ରଥମ ସ୍ଥାନ – ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ, ଗାର୍ଲ୍ସ ସିଭିଲ, ଦ୍ୱିତୀୟ ସ୍ଥାନ – କ୍ରାନିଅମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଏଜ ସିଭିଲ, ତୃତୀୟ – ୟୁଥ୍ ରେଡ୍ କ୍ରସ୍, ବଏଜ, ଏନ୍.ସି.ସି ସ୍ତରୀୟ ଶ୍ରେଷ୍ଠ ଦଳ – ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗାଇଡ ଙ୍କୁ ପ୍ରାଣକୃଷ୍ଣ କର ମେମୋରିଆଲ ଟ୍ରଫି ଓ ମାନ ପତ୍ର, ଶ୍ରୀଯୁକ୍ତ ମନୋଜ ସାହୁଙ୍କୁ ସର୍ଜେଣ୍ଟ ଅଫ୍ ପୋଲିସ, ସେକେଣ୍ଡ ଇନ୍ କମାଣ୍ଡର, ଶ୍ରୀଯୁକ୍ତ କବିବର ଦେହୁରୀ, ରିଜର୍ଭ ଇନ୍ସପେକ୍ଟର ଅଫ୍ ପୋଲିସ, ପ୍ୟାରେଡ୍ କମାଣ୍ଡର ନିମନ୍ତେ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ୟାରେଡ୍ ପରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ଏହାସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲର ଅନ୍ତେବାସୀମାନଙ୍କୁ ମିଠେଇ ବଣ୍ଟନ କରିବା ସହ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ପୂର୍ବରୁ ମୁଖ୍ୟ ଅତିଥି କିଆନାଳୀ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରତ୍ୟୁଷ ଘ.୪.୩୦ ମିନିଟ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ପ୍ରଭାତ ଫେରୀ କରିଥିଲେ। ୮୦ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୂରୀ, ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ସମାଜସେବୀ ଗୌତମ ରାୟ, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ଲୋକ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।


