୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସାହ ଓ ଗୌରବର ସହ ପାଳିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ଜିଲ୍ଲାପାଳ କହିଥିଲେ ଯେ, ସ୍ୱାଧୀନତା କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ, ସମାଜର ପ୍ରତ୍ୟେକ ବର୍ଗକୁ ନ୍ୟାୟ, ସମାନତା, ସମ୍ମାନ ଓ ସୁଯୋଗ ମିଳିବା ହିଁ ପ୍ରକୃତ ସ୍ୱାଧୀନତାର ସାର୍ଥକତା। ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଦମ୍ୟ ସାହସ ଏବଂ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସେ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ। ଓଡ଼ିଶା ଓ କେନ୍ଦ୍ରାପଡ଼ା ମାଟିର ସ୍ୱାଧୀନତା ସଂଗ୍ରାମର ଅବଦାନକୁ ସ୍ମରଣ କରି ସେ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମୀ ଓ ଅମର ସହିଦମାନଙ୍କ ତ୍ୟାଗ ଆମକୁ ଦେଶ ଓ ସମାଜ ପାଇଁ କାମ କରିବାର ପ୍ରେରଣା ଦେଇଥାଏ। କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ସମ୍ପର୍କରେ ଜିଲ୍ଲାପାଳ କହିଥିଲେ ଯେ, ଆଳି, ରାଜକନିକା, ଗରଦପୁର, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ପ୍ରାୟ ୮୩୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୬ଟି ମେଗା ପିଡବ୍ଲୁଏସ ପ୍ରକଳ୍ପ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ଶିକ୍ଷା କ୍ଷେତ୍ରରେ ୭ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୨ଟି ପିଏମଶ୍ରୀ ବିଦ୍ୟାଳୟର ସୁଦୃଢ଼ୀକରଣ କରାଯାଉଛି। କୃଷି କ୍ଷେତ୍ରରେ ୫୦,୪୧୪ ଜଣ କୃଷକଙ୍କ ପଞ୍ଜୀକରଣ ହୋଇଛି। ୧୨୨ଟି ପିଏସିଏସ ମାଧ୍ୟମରେ ୪୮,୭୪୨ ଜଣ କୃଷକଙ୍କଠାରୁ ୧୫.୭୧ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ପଶୁସମ୍ପଦ ଓ ମତ୍ସ୍ୟଚାଷ କ୍ଷେତ୍ରରେ ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଅପ ଫ୍ରଣ୍ଟ ନାଟ୍ ଟେଷ୍ଟିଂରେ କେନ୍ଦ୍ରାପଡ଼ା ରାଜ୍ୟରେ ପ୍ରଥମ ଏବଂ ଏବଂ ିପିଏମଜିଏୱାଇ କାର୍ଡ ବଣ୍ଟନରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ୪୭,୪୫୮ ଜଣ ଏସଏଚଜି ସଦସ୍ୟ ଲକ୍ଷପତି ଦିଦି ହୋଇପାରିଛନ୍ତି। ୨୦୦୩ ପରେ ପ୍ରଥମ ଥର ପାଇଁ ନଭେମ୍ବର ୨୦୨୫ରେ ଆୟୋଜିତ ଜିଲ୍ଲା ମହୋତ୍ସବ ଏବଂ ମାର୍ଚ୍ଚ ୨୦୨୬ର ସୁଭଦ୍ରା ଶକ୍ତି ମେଳା ଜିଲ୍ଲାର ସାଂସ୍କୃତିକ ଓ ଆର୍ôଥକ ଜୀବନରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଭିତରକନିକାର ପର୍ଯ୍ୟଟନ ଓ ପରିବେଶ ଅନୁକୂଳ ବିକାଶ ପାଇଁ ବ୍ୟାଟେରୀ ଚାଳିତ ବୋଟ୍ ଶୁଭାରମ୍ଭ ନିମନ୍ତେ ପଦକ୍ଷେପ ନିଆଯାଉଛି। ଡାଙ୍ଗମାଳ, ଗୁପ୍ତି ଓ ଖୋଳାଠାରେ ଜେଟୀ, ରିସିପସନ, ଇଣ୍ଟରପ୍ରିଟେସନ ଫାସିଲିଟିଜ ସହ ସେଫ୍ଟି, ସିକ୍ୟୁରିଟି ଆଣ୍ଡ ସାନିଟେସନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ମହାକାଳପଡ଼ା ଅଞ୍ଚଳରେ ସିପ ବିଲଡିଂ କ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ପଟ୍ଟାମୁଣ୍ଡାଇର ପନ୍ତୁରୀଠାରେ ଏମଏସଏମଇ ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୩୮ ଏକର ଜମି ଇଡକୋକୁ ହସ୍ତାନ୍ତର କରାଯାଇଛି। ୨୦୨୫-୨୬ ବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ସମସ୍ତ ୨୧ଟି ପାରାମିଟରରେ ଆୱାର୍ଡ ଅଫ ଏକ୍ସିଲେନ୍ସ ହାସଲ କରିଥିବାରୁ ଜିଲ୍ଲାପାଳ ସମସ୍ତ ବ୍ୟାଙ୍କ, ସରକାରୀ ବିଭାଗ, ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। କଟକ–ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ୩ଟି ଉଚ୍ଚସ୍ତରୀୟ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ୯୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ‘ଲୋକଙ୍କ ନିକଟରେ ପ୍ରଶାସନ’କୁ ସୁଶାସନର ମୂଳମନ୍ତ୍ର ଭାବେ ଗ୍ରହଣ କରି ପ୍ରତ୍ୟେକ ତହସିଲରେ ମାସିକ ଜନଶୁଣାଣି ଏବଂ ଚାଲୁଥିବା ପ୍ରକଳ୍ପର ତ୍ୱରିତ ସମାପ୍ତି ପାଇଁ ପ୍ରତିମାସ ପ୍ରଗତି ଅନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଶିକ୍ଷା, କ୍ରୀଡ଼ା, ବିଜ୍ଞାନ, ପ୍ରଯୁକ୍ତି ଓ ସାମାଜିକ ସେବାରେ ଆଗକୁ ଆସିବା ସହ ନିଜ ଅଧିକାର ସହ ନିଜ କର୍ତ୍ତବ୍ୟକୁ ମଧ୍ୟ ମନେ ରଖିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।ଉପକୂଳୀୟ ଜିଲ୍ଲା ଭାବେ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ, ଓଡ୍ରାଫ୍‌, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଜନତାଙ୍କ ସମନ୍ୱିତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଜିଲ୍ଲାସ୍ତରୀୟ ମିଳିତ ପ୍ୟାରେଡରେ ମୋଟ ୩୫ଟି ଦଳ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ପ୍ୟାରେଡର ମୁଖ୍ୟ ଆକର୍ଷଣ ଥିଲା ଅଙ୍ଗନବାଡ଼ି କର୍ମୀ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କଣ୍ଟିିଜେଣ୍ଟ। ଏହାସହ ୮୦ତମ ସ୍ୱାଧୀନତା ଦିବସ ଅବସରରେ ୮୦ ଜଣ ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିଣିଥିଲା। ଏନସିସି ସିନିୟର ଡିଭିଜନ ବାଳିକା ବର୍ଗରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଥମ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଏନସିସି ବାଳକ ଦଳ ଦ୍ୱିତୀୟ ଏବଂ କେନ୍ଦ୍ରାପଡ଼ା ହାଇସ୍କୁଲ ଏନସିସି ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ।ସିନିୟର ସିଭିଲିୟନ ବର୍ଗରେ ମାଇଁ ଏନସିସି ଆଲୁମନି ଆସୋସିଏସନ ପ୍ରଥମ, ଭାରତୀ ବିଦ୍ୟା ମନ୍ଦିର ଦ୍ୱିତୀୟ ଏବଂ ଟିଏସ ଗୁରୁକୂଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ