ତିରୁଣା ପଂଚାୟତ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ

ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ତିରୁଣା ପଂଚାୟତ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସରପଂଚଙ୍କ ପରିବର୍ତେ ତାଙ୍କ ସାନ ଭାଇ ପତାକା ଉତୋଳନ କରିବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବ୍ୟକ୍ତ ହୋଇଛି। କେବଳ ପତାକା ଉତୋଳନ ନୁହେଁ ସରକାରଙ୍କ ଦ୍ୱାରା ଏହି ଦିନ ପ୍ରତି ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା କରାଯାଇଥାଏ। ଗ୍ରାମସଭା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଭା। ଯେଉଁ ସଭାରେ ସରପଂଚ,ପଂଚାୟତ ସଭ୍ୟ,ୱାର୍ଡ ସଭ୍ୟ,ସଭ୍ୟାମାନେ ଓ ଜନସାଧାରଣମାନେ ଏକତ୍ର ବସି ନିଜ ନିଜ ୱାର୍ଡର ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଚିହ୍ନଟ ପ୍ରକଳ୍ପଗୁଡିକର ଅନୁମୋଦନ କରିଥାନ୍ତି। ଯେଉଁ ସଭାରେ ସ୍ଥାନୀୟ ଜନ ପ୍ରତିନିଧି ସରପଂଚ ସଭାପତିତ୍ୱ କରିବେ। ଯଦି ସରପଂଚ ଅନୁପସ୍ଥିତ ଥାନ୍ତି ତେବେ ପଂଚାୟତର ନାଏବ ସରପଂଚ ଅଥବା ବରିଷ୍ଠ ୱାର୍ଡ ସଭ୍ୟ ସଭାପତିତ୍ୱରେ ଉକ୍ତ କାର୍ଯ୍ୟ ସମ୍ପାଦନ କରାଯିବ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ପଂଚାୟତରେ ସରପଂଚଙ୍କ ଅନୁପସ୍ଥିତିରେ ତାଙ୍କ ସାନ ଭାଇ ଭରତ ସ୍ୱାଇଁ ସ୍ୱତନ୍ତ୍ର ଗ୍ରାମସଭା ସରପଂଚଙ୍କ ପାଇଁ ପଡିଥିବା ଚୌକିରେ ବସିଥିବା ଦେଖାଯାଇଛି। ତାଙ୍କ ଡାହାଣ ପାଶ୍ୱର୍ରେ ପଂଚାୟତର ନାଏବ ସରପଂଚ ବସିଥିବା ବେଳେ ବାମପାଶ୍ୱର୍ରେ ପଂଚାୟତ ଅଧିକାରୀ ବସିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ ଫେବୃଆରୀ ୨୦୨୨ରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅଦ୍ୟାବଧି ଗତ ପଂଚାୟତ ନିର୍ବାଚନକୁ ସାଢେ ୪ବର୍ଷ ପୂରଣ ହେଲାଣି। ଏହି ପଂଚାୟତରେ ଜନସାଧାରଣମାନେ ପଂଚାୟତ ପ୍ରତିନିଧି ଭାବେ ଲକ୍ଷ୍ମଣ ସ୍ୱାଇଁଙ୍କୁ ନିର୍ବାଚିତ କରିଥିଲେ। ସ୍ଥାନୀୟ ଲୋକଙ୍କ ମତାନୁସାରେ ସରପଂଚ ସ୍ୱାଇଁ ନିର୍ବାଚିତ ହେବା ଦିନ କାଁ ଭାଁ କାର୍ଯ୍ୟାଳୟକୁ ଆସନ୍ତି। ତାଙ୍କ କାର୍ଯ୍ୟ ବାହାର ବ୍ୟକ୍ତି ବିଶେଷ କିମ୍ବା ତାଙ୍କ ସାନ ଭାଇ କରିଥାନ୍ତି। ସେ ରାଜ୍ୟ ବାହାରେ ରହୁଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫାଇଲରେ କିଏ ତାଙ୍କ ବଦଳରେ ସ୍ୱାକ୍ଷର କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ପତାକା ଉତୋଳନ ଓ ଗ୍ରାମସଭାରେ ନାଏବ ସରପଂଚ ଚିନ୍ମୟୀ ରାୟ ଉପସ୍ଥିତ ଥିବା ବେଳେ ସରପଂଚଙ୍କ ସାନ ଭାଇଙ୍କୁ କିଏ ପତାକା ଉତୋଳନ ଓ ଗ୍ରାମସଭାରେ ସରପଂଚଙ୍କ ସ୍ଥାନରେ ବସାଇବା ପାଇଁ ଅନୁମତି ପ୍ରଦାନ କଲେ ତାହା ତଦନ୍ତ ସାପେକ୍ଷ। ଦୀର୍ଘ ଦିନ ଧରି ସରପଂଚ ଅନୁପସ୍ଥିତ ରହିବା ଓ ପଂଚାୟତରେ ତାଙ୍କ ଅନୁପସ୍ଥିତରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ଯାହାକି କାର୍ଯ୍ୟର ସ୍ୱଚ୍ଚତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ପଂଚାୟତ ପ୍ରତିନିଧିମାନେ ନିଜ ପଂଚାୟତରେ କାର୍ଯ୍ୟ କରିବା ସହିତ ପ୍ରଶାସନ ଦ୍ୱାରା ଆୟୋଜିତ ବିଭିନ୍ନ ବୈଠକରେ ନିଜେ ଉପସ୍ଥିତ ରହିବେ। ସରପଂଚଙ୍କ ବଦଳରେ ତାଙ୍କର କୌଣସି ପ୍ରତିନିଧି ଯୋଗ ଦେଇ ପାରିବେ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। କିନ୍ତୁ ଉକ୍ତ ପଂଚାୟତରେ ସରପଂଚ ଖୁଲମଖୁଲା ନ୍ୟାୟାଳୟର ନିର୍ଦ୍ଦେଶକୁ ମାନୁ ନଥିବା ଜଣାଯାଇଛି। ଅନ୍ୟପଟରେ ସରପଂଚ ରାଜ୍ୟ ବାହାରେ ରହୁଥିବା ବେଳେ ବ୍ଲକ ପ୍ରଶାସନ ଓ ପଂଚାୟତ ପ୍ରଶାସନ କିପରି ପଂଚାୟତରେ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି। ଏସଂର୍ପକରେ ବ୍ଲକର ଭାରାପ୍ରାପ୍ତ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ସୌରଜିତ ମହାପାତ୍ରଙ୍କୁ ପଚାରିବାରୁ ସେ ଏବିଷୟରେ ଜାଣିନଥିବା କହିଥିଲେ। ଏହାଉପରେ ତଦନ୍ତ କରାଯାଇ ଆଇନି ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ