ସୀମାରେ କାର୍ଯ୍ୟରତ ବୀର ଯବାନ୍ଙ୍କ ପାଇଁ ରାକ୍ଷୀ ପଠାଇଲେ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ
ଆସିକା (ୱାଇଏନ୍ଏସ୍): ରାକ୍ଷୀ ପଠାଇଲି ରଖିବ ମାନ । ଆଗକୁ ଆସୁଛି ରକ୍ଷାବନ୍ଧନ । ସୀମାକୁ ଜଗିଛ ରାତିଦିନ । ଏମିତି କିଛି ଆବେଗଭରା ଭାବଧାରାକୁ ନେଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ପକ୍ଷରୁ ସୀମାକୁ ଯାଇଛି ଯବାନ୍ଙ୍କ ପାଇଁ ରାକ୍ଷୀ । ଦେଶର ସୁରକ୍ଷା କ୍ଷେତ୍ରରେ ଯବାନ୍ମାନଙ୍କ ପ୍ରୟାସ ଉଦ୍ଦେଶ୍ୟକୁ ମନେ ପକାଇ ଛାତ୍ରୀମାନଙ୍କ ଏହି ନିଆରା ତଥା ଅନନ୍ୟ ଏବଂ ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଆଗକୁ ଆସୁଛି ସ୍ନେହ, ପ୍ରେମ ଓ ବନ୍ଧନର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଏହି ପବିତ୍ର ଦିନରେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । କିନ୍ତୁ ଯେଉଁ ଭାଇମାନେ ଦେଶମାତୃକାର ସୁରକ୍ଷା ପାଇଁ ନିଃସ୍ୱାର୍ଥପର ଭାବେ ସୀମାରେ ଦିନରାତି ଏକକରି କାମ କରିଆସୁଛନ୍ତି ଏବଂ ରାକ୍ଷୀ ବାନ୍ଧିବାର ସୁଯୋଗରୁ ବଞ୍ଚିତ ହୋଇଆସୁଛନ୍ତି ସେମାନଙ୍କ ଅବଦାନକୁ ମନେ ପକେଇବା ପାଇଁ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ରଙ୍କ ପ୍ରେରଣା ଏବଂ ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ମାର୍ଗଦର୍ଶନରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ରାକ୍ଷୀ ପଠାଇଥିବା ଜଣାପଡିଛି । ଭାରତର ସୀମାରେ ରହି ଶତ୍ରୁଙ୍କ ସହ ଲଢେଇ କରି ଆମମାନଙ୍କୁ ସୁରକ୍ଷା ଦେଉଥିବା ବୀର ଯବାନ୍ମାନଙ୍କ ପାଇଁ ପବିତ୍ର ରକ୍ଷାବନ୍ଧନ ପର୍ବ ଅବସରରେ ରାକ୍ଷୀ ପଠାଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବହୁ ବିଦ୍ୟାର୍ଥୀ । ବୀର ଯବାନ୍ ମାନଙ୍କ ସଦାସର୍ବଦା ସୁରକ୍ଷିତ ଓ ମଙ୍ଗଳ କାମନା କରି ସେମାନଙ୍କୁ ଭାଇର ସ୍ୱୀକୃତି ପ୍ରଦାନ ପୂର୍ବକ ରାକ୍ଷୀ ପଠାଇଥିବା ଚର୍ଚ୍ଚା ହେଉଛି । ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ସ୍ନେହର ଡୋରୀ । କିନ୍ତୁ ଏମିତି କିଛି ଭାଇ ଅଛନ୍ତି ଯେଉଁମାନେ ଘର ଠାରୁ ବହୁ ଦୂରରେ ରହି ଦେଶକୁ ସୁରକ୍ଷା ଦେଇଆସୁଛନ୍ତି । ସେହି ବୀର ଯବାନ୍ ମାନଙ୍କୁ ମନେ ପକାଇ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ନିଜ ସକ୍ଷମ ମୁତାବକ ଆକର୍ଷଣୀୟ ଢଙ୍ଗର ରାକ୍ଷୀ ପ୍ରସ୍ତୁତ ଓ କ୍ରୟ କରି ଡାକ ବିଭାଗ ଜରିଆରେ ସୀମାରେ କାର୍ଯ୍ୟରତ ଯବାନ୍ ମାନଙ୍କ ପାଇଁ ପଠାଇଥିବା ଜଣାପଡିଛି । ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଠିକ୍ ସେତିକି ବେଳେ ଶତୃଙ୍କ କବଳରୁ ଦେଶମାତୃକାକୁ ସୁରକ୍ଷିତ କରି ରଖିବା ପାଇଁ ସୀମାରେ ଜାଗ୍ରତ ପ୍ରହରୀ ସାଜିଥିବା ଯବାନ୍ ମାନଙ୍କ ପାଇଁ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ରାକ୍ଷୀ ପଠାଇ ଏକ ମହନୀୟ କାର୍ଯ୍ୟ କରିଥିବା ଚର୍ଚ୍ଚା ହେଉଛି । ଭାରତବର୍ଷର ସୀମାରେ ଦେଶମାତୃକାର ସେବା କରୁଥିବା ବୀର ଯବାନ୍ ମାନଙ୍କୁ ବଡଭାଇର ସମ୍ମାନ ଦେଇ ରାକ୍ଷୀ ପଠାଇଥିବା ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଏହି ପରିକଳ୍ପନାକୁ ସାଧାରଣରେ ସ୍ୱାଗତ ଏବଂ ଉଚ୍ଚ ପ୍ରଶଂସା କରାଯାଉଥିବା ପରିଲକ୍ଷିତ ହେଉଛି । ଆସନ୍ତା ୨୭ ତାରିଖ ଗୁରବାର ଦିନ ପାଳିତ ହେବାକୁ ଥିବା ପବିତ୍ର ରକ୍ଷାବନ୍ଧ ଅବସରରେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀକୁ ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରା ଏବଂ ସହାୟକ ଡାକ ଅଧୀକ୍ଷକ ପରମାନନ୍ଦ କଣ୍ଠ ଓ ବ୍ୟବସାୟିକ କାର୍ଯ୍ୟନିର୍ବାହୀ ଶୁଭ୍ରକାନ୍ତ ପାତ୍ର ଗ୍ରହଣ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ଏହି ମହତ୍ ପ୍ରୟାସକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ବର୍ଷତମାମ ବୀର ଯବାନ୍ ମାନେ ନିଜ ପରିବାର ଠାରୁ ବହୁ ଦୂରରେ ରହି ଭାରତମାତାର ସେବା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଇ ଆସୁଥବା ବେଳେ ସମସ୍ତ ବୀର ଯବାନ୍ଙ୍କୁ ପ୍ରୟତଃ ରକ୍ଷାବନ୍ଧନ ଭଳି ପବିତ୍ର ଦିନରେ ଛୁଟି ମିଳୁନଥିବା ଯୋଗୁଁ ଭଉଣୀ ଠାରୁ ପ୍ରତ୍ୟେକ୍ଷ ଭାବେ ରାକ୍ଷୀ ବାନ୍ଧିବା ସୁଯୋଗରୁ ବଂଚିତ ହୋଇଥାନ୍ତି । ତେଣୁ ଏହିଭଳି ଏକ ପବିତ୍ର ଦିନରେ ଭାରତର ସେନାବାହିନୀଙ୍କ ମନୋବଳ ବଢାଇବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ରାକ୍ଷୀକୁ ସଂଗୃହୀତ କରି ପାର୍ସଲ କରି ଆସିକା ଡାକବିଭାଗ ମାଧ୍ୟମରେ ସେନା ବାହିନୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଜଣାପଡିଛି । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ର ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ଏହି ଅଭିନବ ମାର୍ଗଦର୍ଶନକୁ କୃତଜ୍ଞତା ଓ ସାଧୁବାଦ ଜ୍ଞାପନ କରିଥିବା ପରିଲକ୍ଷିତ ହୋଇଛି । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷୟିତ୍ରୀ ନମିତା ପାଣି, ପଦ୍ମାବତୀ ଦୋରା, ପି.ରୋଜା, ଲକ୍ଷ୍ମୀ ଦାଶ, ଇନ୍ଦିରା ଦାଶ, ସୁଶ୍ରୀ ପ୍ରିୟମ୍ବଦା, ପ୍ରଶାନ୍ତ କୁମାର ପାଣି, ରଶ୍ମିତା ପାତ୍ର, କର୍ମଚାରୀ ମନୋଜ କୁମାର ପାଣିଗ୍ରାହୀ, ସୁଶାନ୍ତ କୁମାର ସାହୁ, ନୟନୀ କୁମାରୀ ବେହେରା, ଅମ୍ବୁପାଣି ସାହୁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ଛାତ୍ରୀମାନେ ଯବାନ୍ ମାନଙ୍କ ଉଦ୍ଦେଶ୍ୟରେ ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ରାକ୍ଷୀ ପଠାଇଥିବା ଜଣାପଡିଛି ।


