ଗଞ୍ଜାମ ଗସ୍ତରେ ଆସୁଛନ୍ତି ବିଧାନସଭାର ଗୃହ କମିଟି

ଛତ୍ରପୁର,(ଓ୍ବାଇଏନଏସ) : ଓଡ଼ିଶା ବିଧାନସଭାର ଗୃହ କମିଟି (ଉପସ୍ଥାପନ) ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସେଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ।  କମିଟି ଗୁରୁବାର ସକାଳ ୯ଟାରେ ଗୋପାଳପୁରରୁ ଆସ୍କା ଅଭିମୁଖେ ଯାତ୍ରା କରିବେ। ସେଠାରେ ଲକ୍ଷ୍ମୀ ବଜାର ନିକଟ ଟିପିସରା ନାଳର ଜବରଦଖଲ ସ୍ଥିତି ଅନୁଧ୍ୟାନ କରିବା ସହ ଗଞ୍ଜାମରେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ ଡ୍ୟାମ୍, ଋଷିକୁଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇ ଲେଭେଲ୍ ବ୍ରିଜ୍, ଆସ୍କା ବାଇପାସ୍ ରାସ୍ତା, ମଣ୍ଟାପଡ଼ା ଡ୍ୟାମ୍ ଏବଂ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସେଗୁଡ଼ିକର ପ୍ରଗତି ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବେ। ଏହାପରେ ଆସ୍କା ପୌର ପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ କମିଟିର ଏକ ଆଲୋଚନା ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି, ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିବେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ