ଆକ୍ସନ ମୋଡ଼ରେ ଉପଜିଲ୍ଲାପାଳ: ରାତି ଅଧିଆ ଧରପଗଡ଼ ,ଅପରାଧି ଛାନିଆ
ଗୁଣପୁର (ୱାଇ ଏନ ଏସ) :ଗୁଣପୁର ସହର ସମେତ ଆଖପାଖ ଅଞ୍ଚଳ ମନ୍ଦିର, ପର୍ଯ୍ୟଟନ ସ୍ଥଳି ଗୁଡିକରେ ମଦ୍ୟପ ମାନଙ୍କ ଆଡ୍ଡା ସ୍ଥଳି ବନିଥିବା, ବେଆଇନ ନିଶା ଦ୍ରବ୍ୟ ସେବନ କାରବାର ନେଇ ଅଭିଯୋଗକୁ ପ୍ରଶାସନ ଗୁରୁତ୍ବର ସହ ଗ୍ରହଣ କରିଥିବା ଜଣାପଡିଛି। ଗତକାଲି ବୁଧୁବାର ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ସାର୍ବଜନୀନ ସ୍ଥାନ,ମନ୍ଦିର, ପର୍ଯ୍ୟଟନ ସ୍ଥଳି ନିକଟରେ ନିଶାସେବନ ଉପରେ କଟକଣା ଜାରି କରିବା ପରେ ସେ ଆକ୍ସନ ମୋଡ଼ରେ ଆସି ରାତି ଅଧିଆ ଧରପଗଡ଼ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ସଦଳବଳେ ପୁଲିସକୁ ସାଙ୍ଗରେ ନେଇ ବିଭିନ୍ନ ସନ୍ଧିଗ୍ଧ ସ୍ଥାନ ସେଫାଳି ପାହାଡ଼,କପିଳ ପୁର,ରେଳଷ୍ଟେସନ,ହଳଦିଆ ନାଳ ପଡିଆ, ବାଘୁଆ ଦେଉଳ ପଛପଟ ପଡ଼ିଆ,ଗୁଣ୍ଡିଚା ମନ୍ଦିର ନିକଟ ପଡ଼ିଆ,ପୁରୁଣା ବସ ଷ୍ଟାଣ୍ଡ ଠିପିଖୋଲା ମଦ ଦୋକାନ ଇତ୍ୟାଦି ଅଞ୍ଚଳରେ ଧରପଗଡ଼ କରିଥିଲେ।ଏହି ଚଡାଉ ସମୟରେ ଅନେକ ସ୍ଥାନରେ ଆଡ୍ଡା ଜମେଇ ନିଶା ସେବନ କରିଥିବା ମଦ୍ୟପ ମାନେ ଫୋର୍ସ ଦେଖି ଦୌଡ଼ି ଚାଲିଯାଇଥିବା ବେଳେ ଅଳ୍ପ କେତେ ଜଣ ମଦ୍ୟପ ରଙ୍ଗ ହାତ ଧରାପଡିଥିଲେ। ସେମାନଙ୍କୁ ଉପଜିଲ୍ଲାପାଳ ଚେତାବନୀ ଦେଇ ଛାଡ଼ିଦେଇ ଆଉଥରେ କେହି ଏହାକୁ ପୁନରାବୃତ୍ତି କରି ଧରାପଡିଲେ ମକଦ୍ଧମା ରୁଜୁ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଗୁଣପୁର ଥାନା ଆଇଆଇସି କେକେବିକେ କହଁରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। ଗତକାଲି ରାତିରେ କେବଳ ନିଶା ସେବନ କାରୀଙ୍କ ପଛରେ ପଡିନଥିଲେ ବାଲି ଚୋରା ଚାଲାଣ ଉପରେ ସନ୍ଦେହ କରି ଗୁଣପୁର,ପେଂଗୁଡା, ଗୁମୁଡ଼ା ବାଲି ଉତ୍ସ ଗୁଡିକ ମଧ୍ୟ ରାତି ଅଧିଆ ପରିଦର୍ଶନ କରି ଯାଞ୍ଚ କରିଥିବା ସୂଚନା ମିଳିଛି। ଗତକାଲି ଧରପଗଡ଼ ସମୟରେ ଉପଜିଲ୍ଲାପାଳ ଶ୍ରୀ ଦୁଧାଲଙ୍କ ସହ ଡେ଼ପୁଟି କଲେକ୍ଟର ଶୁଭ୍ରନାଥ ରାଉତ,ଅତିରିକ୍ତ ତହସିଲଦାର ଅଭିଷେକ ଶତପଥି ଏବଂ ପୁଲିସ ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ପ୍ରାୟ ଏକ ବର୍ଷ ହେଲା କାର୍ଯ୍ୟଭାର ଗ୍ରହଣ କରିବା ପରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି ପୋୖରାଞ୍ଚଳରେ ମହା ଜମି ଦୁର୍ନୀତି ଅଭିଯୋଗ ଉପରେ କମିଟି ଗଠନ କରି ତଦନ୍ତ ଜାରି ରଖିଛନ୍ତି। ସେହିପରି ଗୁଣପୁରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ସହ ପ୍ରାଚୀନ ସାନ ଶ୍ରୀ ଜଗନ୍ନାଥ ମନ୍ଦିରର ବିକାଶ ଏବଂ ସୁ ପରିଚାଳନା ନେଇ ପଦକ୍ଷେପ ଗ୍ରହଣ କରିଥିବା ଉଲେଖନୀୟ ଅଟେ।


