ବନ୍ୟା ବିପନ୍ନଙ୍କୁ ବଣ୍ଟନ କଲେ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଧାୟକ

ବାଲେଶ୍ୱର (ସରୋଜ ପଣ୍ଡା): ବନ୍ୟା ପ୍ରଭାବିତ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ସିନ୍ଧିଆ ଓ ଗୋପୀନାଥପୁର ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ। ବିଧାୟକ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହେବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ବନ୍ୟା ଜଳ ଅନେକ ସ୍ଥାନରେ ହ୍ରାସ ପାଇବା ଆରମ୍ଭ କରିଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବେ ମଧ୍ୟ ଜାରି ରହିଛି। ବିଶେଷକରି ଗୋପୀନାଥପୁର ପଞ୍ଚାୟତର ନୀଳିଦା ଗ୍ରାମ ବର୍ତ୍ତମାନ ସୁଦ୍ଧା ବନ୍ୟାଜଳ ଘେରରେ ରହିଛି। ଏହାଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନଯାପନ ପ୍ରଭାବିତ ହୋଇଛି। ବିଧାୟକ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଆବଶ୍ୟକତା ଓ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକଙ୍କ ଜୀବନଜୀବିକା, କୃଷି, ମତ୍ସ୍ୟଚାଷ, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ହୋଇଥିବା କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରି ପ୍ରଭାବିତ ପରିବାରଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବନ୍ୟା ବିପନ୍ନଙ୍କ ସୁରକ୍ଷା, ଜନଜୀବନକୁ ସ୍ୱାଭାବିକ କରିବା ଏବଂ କୃଷି, ଜୀବିକା, ଭିତ୍ତିଭୂମି ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ବନ୍ୟା ପ୍ରଭାବିତ ଚାଷୀ, ମତ୍ସ୍ୟଜୀବୀ, କାରିଗର ଓ ବିପନ୍ନ ପରିବାରଗୁଡ଼ିକୁ ଆବଶ୍ୟକୀୟ ଆର୍ଥିକ ସହାୟତା ସହ ବିହନ, ଖାଦ୍ୟ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ବନ୍ୟାରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାରକୁ ମଧ୍ୟ ପ୍ରାଥମିକତା ଦିଆଯିବ। ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରର ଦୁଃଖ ଓ ସମସ୍ୟା ପ୍ରତି ଆମ ସରକାର ସମ୍ବେଦନଶୀଳ ବୋଲି ବିଧାୟକ କହିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସରକାର ବନ୍ୟା ବିପନ୍ନଙ୍କ ସୁରକ୍ଷା, ସହାୟତା ଓ ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ସରକାର ସବୁବେଳେ ଆପଣଙ୍କ ସହ ରହିଛନ୍ତି ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ