ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା


ସନ୍ତୋଷ କୁମାର ଦାଶ

ଶ୍ରୀକ୍ଷେତ୍ର ପୁରୀ ରେ ବାର ମାସ ରେ ତେର ପର୍ବ ପାଳନ ହେଉଥିବା ବେଳେ ଶ୍ରୀ ମନ୍ଦିର ରେ ଦ୍ଵାଦଶ ଯାତ୍ରା ପ୍ରସିଦ୍ଧି ଲାଭ କରିଛି। ତା ମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ। ଶ୍ରାବଣ ମାସ ଦଶମୀ ତିଥି ଠାରୁ ଶ୍ରାବଣ ମାସ ପୂର୍ଣ୍ଣିମା ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀ କ୍ଷେତ୍ର ପୁରୀ ର ମଠ, ଆଶ୍ରମ ଓ ଶ୍ରୀ ମନ୍ଦିର ରେ ଝୁଲଣ ଯାତ୍ରା ଭକ୍ତି ଓ ନିଷ୍ଠାର ସହିତ ପାଳନ ହୋଇଥାଏ। ଲୋକକଥା ଅନୁସାରେ, ବୃନ୍ଦାବନ ରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧା ଙ୍କର ସେବା ସମସ୍ତ ଦେବତାଗଣ, ମନୁଷ୍ୟ ଓ ଗୋପୀ ମାନେ ପାଇବା ଦେଖି ଗନ୍ଧର୍ବ ମାନେ ମଧ୍ୟ କିଛି ସେବା ପାଇଁ ପ୍ରାର୍ଥନା କଲେ । ସେହି ଅନୁସାରେ ଏକ ସୁନ୍ଦର ଝିଲିମିଲ ଜରି ଜମ୍ବୁରା ରେ ତିଆରି ଗୋଟିଏ କୁଞ୍ଜରେ ରାଧା ଓ କୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲାଇବାର ସେବା ସେମାନଙ୍କୁ ମିଳିଲା । ଏହାକୁ ଝୁଲଣ ଯାତ୍ରା କୁହା ଯାଇଥାଏ। ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀ ମନ୍ଦିରରେ ପ୍ରଥମେ ପାଳନ କରା ଯାଇଥିଲା ବୋଲି ଗବେଷକ ମାନେ ମତ ଦେଉ ଥିବାବେଳେ ଶ୍ରୀମନ୍ଦିର ରେ ଗୌଡ଼ୀୟ ବୈଷ୍ଣବ ମାନଙ୍କ ପ୍ରଭାବ ପଡିବା ପରେ ଏହି ଯାତ୍ରା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ ଦେବ ଦେବୀ। ସେଥିପାଇଁ ଶ୍ରୀକୃଷ୍ଣ ଗୋପ ରେ ଥିବାବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରାଇଛନ୍ତି ।ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ମାନେ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଶ୍ରୀ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ଉକ୍ତ ପ୍ରତିମା ମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।ଝୁଲଣରେ ପଞ୍ଚୋପଚାର ପୂଜା ରେ ଖଇକୋରା ଭୋଗ ଅର୍ପଣ କରାଯିବା ପରେ ରତ୍ନ ସିଂହାସନସ୍ଥ ବିଗ୍ରହ ମାନଙ୍କ ର ଚନ୍ଦନଲାଗି ସମୟ ଯାଏ ପ୍ରତିମା ମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି।ତାପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି । ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତ୍ତନ ଓ ଭଜନ ରେ ଶ୍ରୀ ମନ୍ଦିର ବେଢା ପ୍ରକମ୍ପିତ ହୋଇଉଠେ । ଏହି ଝୁଲଣ ଉତ୍ସବ ଶ୍ରୀ କ୍ଷେତ୍ର ପୁରୀ ରେ ଥିବା ସମସ୍ତ ରାଧାକୃଷ୍ଣ ମନ୍ଦିର ଓ ମଠ ମାନଙ୍କରେ ପାଳନ କରାଯାଉ ଥିବାବେଳେ ରାଜ୍ୟ ର ବିଭିନ୍ନ ମନ୍ଦିର, ମଠ ଓ ଆଶ୍ରମ ମାନଙ୍କ ରେ ମଧ୍ୟ ପାଳିତ ହୋଇଥାଏ।
ଜୟ ଶ୍ରୀ ରାଧେ କୃଷ୍ଣ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ