ପୋଲିସର ବିହିତ ପଦକ୍ଷେପ: ନଜର ବନ୍ଦୀ ଥିବା 5 ଯୁବ ଶ୍ରମିକ ଆନ୍ଧ୍ରରୁ ଉଦ୍ଧାର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପୋଲିସର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଯୋଗୁଁ ଆନ୍ଧ୍ରରେ ନଜର ବନ୍ଦୀ ଭାବେ ରହିଥିବା 5 ଜଣ ଶ୍ରମିକ ଉଦ୍ଧାର ହେବା ସହ ସେମାନଙ୍କ ଘରକୁ ଫେରିଥିବା ସୂଚନା ମିଳିଛି. ଗଜପତି ପୁଲିସ ଆନ୍ଧ୍ର ପ୍ରଦେଶର ବାପତଲା ପୋଲିସ ସହିତ ସମନ୍ବୟ ରଖି ନଜର ବନ୍ଦୀ ଥିବା ପାଞ୍ଚ ଜଣ ଯୁବ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି. ଏହି ପାଞ୍ଚ ଜଣ ଯୁବ ଶ୍ରମିକଙ୍କ ପାଞ୍ଚ ପରିବାର ଲୋକେ ଆର୍ ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ତଥା ଯୁବ ଆଇପିଏସ୍ ରାକେଶ କୁମାର ସାହୁଙ୍କ ଠାରେ ଲିଖୂତ ଅଭିଯୋଗ କରିଥିଲେ ଯେ ସେମାନଙ୍କ ପୁଅ ଅଭିଳାଷ ଦଳବେହେରା (୨୧), ନିଥନିଏଲ ରଇତ (୨୪), ଯାରବିଏମ୍ ଗମାଙ୍ଗ (୨୩), ବିକାଶ ମାଝୀ (22) ଓ ଅକ୍ଷ ପାଟମାଝୀ (୨୩) ଙ୍କୁ ଚାକିରୀ ପ୍ରଲୋଭନ ଦିଆଯାଇ ଆନ୍ଧ୍ରପ୍ରଦେଶର ଲାଙ୍କେବାଣି ଦିବା ଓ ବାଙ୍ଗାଡିପାଲେମ୍ ସ୍ଥାନକୁ ନିଆଯାଇଥିଲା । ଏହି ସ୍ଥାନ ଗୁଡିକ ବିଛିନ୍ନ ଉପକୂଳବର୍ତ୍ତୀ ହୋଇଥିବା ବେଳେ ସେମାନଙ୍କୁ ସେଠାରେ ରଖାଯାଇ ପ୍ରାୟ ଦୁଇ ମାସ ଧରି ମାଛ ପ୍ରକ୍ରିୟାକରଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏହି ଯୁବକମାନଙ୍କୁ ସେଠାରେ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦଶନ କରିବା ସହ ପେଟପୁରା ଖାଦ୍ୟ ଏବଂ ପାଣି ନଦେବା, ମଜୁରୀ ନ ଦେବା, ନିରନ୍ତର ନଜର ବନ୍ଦୀ କରି ରଖିବା, ବିଭିନ୍ନ ଧମକ ସମ୍ପୃକ୍ତ ଠିକାଦାର ଦେଉଥିବା, ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ଯ ଛଡ଼ାଇ ନେଇ ଯାଇଥିବା ଆଦି ଅଭିଯୋଗ ହେବା ପରେ ଏସଡିପିଓ ଶ୍ରୀ ସାହୁ ତୁରନ୍ତ ଆନ୍ଧ୍ର ପ୍ରଦେଶ ପୋଲିସ ସହିତ ଯୋଗାଯୋଗ କରିଥିଲେ ଏବଂ ସ୍ଥାନୀୟ ପୋଲିସ ସହାୟତା ଲୋଡିଥିଲେ. ତୁରନ୍ତ ପ୍ରତିକ୍ରିୟା ଦେଇ, ବାପତଲା ପୋଲିସ ଏକ ଦଳ ନିୟୋଜିତ କଲା ଏବଂ ଗଜପତି ପୋଲିସ ସହିତ ସମନ୍ବିତ ପ୍ରୟାସ ମାଧ୍ୟମରେ ସମସ୍ତ ପାଞ୍ଚ ଜଣ ଯୁବକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ସୁରକ୍ଷିତ ଭାବେ ଘର ବାହୁଡା କରାଯାଇଥିଲା I ସୁରକ୍ଷିତ ଭାବରେ ଫେରିବା ପରେ, ଯୁବକମାନେ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଏସଡିପିଓ ଶ୍ରୀ ସାହୁଙ୍କୁ ଭେଟି ତୁରନ୍ତ ହସ୍ତକ୍ଷେପ ଏବଂ ସହାୟତା ଯୋଗାଇ ଥିବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଛନ୍ତି I


