ପଂଚାୟତ ସମିତି ବୈଠକ ନହେବାରୁ ଦୁର୍ନୀତି ବଢୁଥିବା ଅଭିଯୋଗ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ପଞ୍ଚାୟତ ସମିତିରେ ଗଣତନ୍ତ୍ର ଖୋଲା ଭାବେ ଉଲ୍ଲଂଘନ ହେଉଛି। ପଞ୍ଚାୟତ ସମିତି ଆଇନ ଅନୁଯାୟୀ ପ୍ରତି ଦୁଇ ମାସରେ ଥରେ ବୈଠକ ବାଧ୍ୟତାମୂଳକ। ହେଲେ ଏଠି ନିୟମ କେବଳ କାଗଜପତ୍ରରେ ସୀମିତ। ଗତ ସାଢେ ୪ ବର୍ଷ ଅର୍ଥାତ ପ୍ରାୟ ୫୪ ମାସ ମଧ୍ୟରେ ମୋଟ ୨୭ଟି ବୈଠକ ହେବାକଥା, ହେଲେ ହୋଇଛି ମାତ୍ର ୮ଟି। ହିସାବ କଲେ ପ୍ରାୟ ୭ ମାସରେ ଥରେ ବୈଠକ। ଏହି ବୈଠକ ହିଁ ହେଉଛି ସାଧାରଣ ଲୋକଙ୍କ ଦୁଃଖ ଶୁଣିବାର ଏକମାତ୍ର ମଞ୍ଚ। ରାସ୍ତା, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ଅଖାଦ୍ୟ ଟିଏଚଆର, ରାସନ ସମସ୍ୟା ଏହି ବୈଠକରେ ଉଠିଥାନ୍ତା। ବୈଠକ ନହେବାରୁ ସବୁ ସମସ୍ୟା ଚାପି ହୋଇ ରହୁଛି ଏବଂ ବିନା ଆଲୋଚନାରେ ଲକ୍ଷ ଲକ୍ଷ ଟଙ୍କାର ଯୋଜନା ପାସ ହେଉଛି ବୋଲି ଅଭିଯୋଗ। ଏ ନେଇ କୁଣ୍ଢେଇ ପଞ୍ଚାୟତ ସମିତି ସଭ୍ୟ ପ୍ରମୋଦ ଦାଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ।ନିୟମ ଅନୁଯାୟୀ ବୈଠକ ନହେଲେ ଆମେ ପଞ୍ଚାୟତର ସମସ୍ୟା କେଉଁଠି କହିବୁ? ବିପିଡି ଭଳି ଯୋଜନା ବିନା ଆଲୋଚନାରେ ପାସ ହେଉଛି। ଲୋକେ ଆମକୁ ପଚାରୁଛନ୍ତି, ଆମେ ଉତ୍ତର ଦେଇ ପାରୁନୁ। ଏହା ଗଣତନ୍ତ୍ର ହତ୍ୟା ଛଡା ଆଉ କିଛି ନୁହେଁ। ସେ ଆହୁରି ଚେତାବନୀ ଦେଇଛନ୍ତି, ଆଗାମୀ ଦିନରେ ପ୍ରତି ଦୁଇ ମାସରେ ବୈଠକ ନହେଲେ ଆମେ ସମସ୍ତ ସମିତି ସଭ୍ୟ ଏକାଠି ହୋଇ ଆନ୍ଦୋଳନ କରିବୁ। ସାଧାରଣରେ ପ୍ରଶ୍ନ ଉଠୁଛି – ୧୯ଟି ବୈଠକ କାହିଁକି ଖାଇ ଦିଆଗଲା । ଏହା ପଛରେ କାହାର ସ୍ୱାର୍ଥ ।ବୈଠକ ନହେବାରୁ ଦୁର୍ନୀତି ବଢୁଛି କି ।ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।


