ଚିନିଦର ବୃଦ୍ଧିର ପ୍ରଭାବ: ଆସିକାରେ ମହଙ୍ଗା ହେଲା ମିଠା ଦର

ଆସିକା  (ୱାଇଏନ୍‍ଏସ୍‍) :ଆଗକୁ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଖୁଆଇଥାଏ ମିଠା । ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଆସିକା ଅଞ୍ଚଳରେ ଥିବା କେତେକ ମିଷ୍ଟାନ୍ନ ବ୍ୟବସାୟିକ ଅନୁଷ୍ଠାନରେ ମିଠା ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ ବହୁ ବ୍ୟକ୍ତି ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳିଛି । ରସଗୋଲା ଠାରୁ ଆରମ୍ଭ କରି ଛେନାପୋଡ ଏବଂ ଜିଲାପି ଠାରୁ ଆରମ୍ଭ ବିଭିନ୍ନ କିସମର ଛେନାମିଠା ଯାଏଁ ସବୁର ଦର ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ରାକ୍ଷୀ ପୂର୍ଣ୍ଣିମା ସହ ପାର୍ବଣ ଋତୁ ଆସୁଥିବାରୁ ମିଠାର ଚାହିଦା ଅଧିକ ରହିବାର ଯଥେଷ୍ଟ ସମ୍ଭାବନା ଥିବା ବେଳେ ଏବେଠୁ ମିଠା ଦର ମହଙ୍ଗା ହେବାରେ ଲାଗିଥିବା ଯୋଗୁଁ ଗରୀବ ଓ ନିମ୍ନ ମଧ୍ୟବିତ୍ତ ଗରୀବ ଶ୍ରେଣୀର ଲୋକେ କିପରି ରାକ୍ଷୀ ପୂର୍ଣ୍ଣିମାରେ ମିଠା କ୍ରୟ କରିବେ ତାହାକୁ ନେଇ ଏବେଠୁ ଚିନ୍ତା ପ୍ରକଟ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଚିନିର ଦର ହଠାତ୍‍ ଆଶାତୀତ ଭାବେ ବୃଦ୍ଧିକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନଥିବା ଚର୍ଚ୍ଚା ହେଉଛି । ଚିନି ଉପରେ ନିର୍ଭର କରୁଥିବା ବିଭିନ୍ନ ବର୍ଗର ବ୍ୟବସାୟିକ କାରବାର ବିଶେଷ ଭାବେ ପ୍ରଭାବିତ ହେବାରେ ଲାଗିଛି । ଚିନିର ମୂଲ୍ୟ ବୃଦ୍ଧି ଯୋଗୁଁ ମିଠାଦର ବି ଆକାଶଛୁଆଁ ହେବାରେ ଲାଗିଛି । ଆସିକା ଅଞ୍ଚଳରେ ଚିନି ସମେତ ମିଠାର ଦର ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ଯୋଗୁଁ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷୁ ପ୍ରକାଶ ପାଉଛି । ବିଗତ କିଛି ଦିନ ହେଲା ଛେନା ଓ ଚିନି ଦର ବୃଦ୍ଧିର ପ୍ରଭାବ ଆସିକା ଅଞ୍ଚଳର କେତେକ ମିଠା ଦୋକାନର ବ୍ୟବସାୟୀକୁ ବିଶେଷ ଭାବେ ପ୍ରଭାବିତ କରିଛି । ଖୋଲାବଜାରରେ ଚିନିର ଦର ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ଯୋଗୁଁ ଆସିକା ଅଞ୍ଚଳରେ ବିଭିନ୍ନ ପ୍ରକାରର ମିଠାର ଦର ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଛେନାର ଦର ବୃଦ୍ଧି ସହ ଚିନିର ଦର ବଢିବାରୁ ଆସିକା ଅଞ୍ଚଳର କେତେକ ବ୍ୟବସାୟୀ ମିଠା ଦର ମଧ୍ୟ ବଢାଇ ଦେଇଥିବା ଚର୍ଚ୍ଚା ହେଉଛି । ଯାହାର ସିଧାସଳଖ ପ୍ରଭାବ କେତେକ ଗ୍ରାହକଙ୍କ ପକେଟ ଉପରେ ପଡିବା ଆରମ୍ଭ ହେଲାଣି । କେବଳ ସେତିକି ନୁହେଁ ବଜାରରେ ନକଲି ଛେନାର ଭୟ ମଧ୍ୟ କେତେକ ବ୍ୟକ୍ତିଙ୍କୁ ଘାରିଛି । ଆସିକା ସହର ତଥା ଏହାର ଆଖାପାଖ ଅଞ୍ଚଳରେ ପୂର୍ବରୁ ଗତ କିଛି ଦିନ ତଳେ ଯେଉଁ ମିଠା ୫ ଟଙ୍କାରେ ବିକ୍ରୀ ହେଉଥିଲା ତାହା ବର୍ତ୍ତମାନ ବୃଦ୍ଧି ପାଇ ୭ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଚିନି ଦର ଏବଂ ମିଠା ଦର ମହଙ୍ଗା ହେବାରେ ଲାଗିଥିବା ଯୋଗୁଁ ସାଧାରଣ ଜନତା ଏବେଠୁ ଚିନ୍ତାରେ ପଡିଯାଇଥିବା ଅଭିଯୋଗ ହେଉଛି । ଆସିକା ସହରର ବସଷ୍ଟାଣ୍ଡ କଳିଙ୍ଗରୋଡ ସ୍ଥିତ ପେଟ୍ରୋଲ ଟ୍ୟାଙ୍କ୍‍ ଠାରୁ କିଛି ମିଟର ଦୂରରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନର ଗୋଦାମରେ ଜନୈକ ବ୍ୟବସାୟୀ ପ୍ରଚୁର ପରିମାଣର ଚିନି ମହଜୁଦ ରଖି ଚଢା ଦରରେ ବିକ୍ରୀ କରୁଥିବା ଅଭିଯୋଗ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କଳବଜାରୀଙ୍କ ଗୋଦାମ ଉପରେ ଅତର୍କିତ ଚଢାଉ କରିବା ସାଙ୍ଗକୁ ବର୍ଦ୍ଧିତ ଚିନିଦର ଏବଂ ମିଠାଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ