ଏଡିଇଓଙ୍କ ସୁଗର ଇଣ୍ଡଷ୍ଟ୍ରିଜ୍ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ
ଆସିକା (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର ସୋମବାର ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ବିଭିନ୍ନ ସରକାରୀ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ଅଚାନକ ଆସିକାର ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କାର୍ଯ୍ୟକ୍ରମକୁ ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାର ମହାପାତ୍ର ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ଚିନିଶିଳ୍ପ ନୁଆଗାଁ ସ୍ଥିତ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲକୁ ଅଚାନକ ପରିଦର୍ଶନ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କ ସହ ଭାବ ବିନିମୟ କରିବା ସହ ଇଂରାଜୀ, ସାହିତ୍ୟ, ହିନ୍ଦୀ/ସଂସ୍କୃତ, ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ପାଠ୍ୟକ୍ରମର ବିଭିନ୍ନ ବିଷୟ ଉପରେ ପଚାରି ବୁଝିବା ସାଙ୍ଗକୁ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନେ ଯେପରି ଆଗାମୀ ମାଟ୍ରିକ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରି ଶିକ୍ଷାନୁଷ୍ଠାନର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲକୁ ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନରେ ଚାଲିଥିବା ମଧ୍ୟାହ୍ନ ଭୋଜନର ସୁପରିଚାଳନା ସାଙ୍ଗକୁ ଅତୀତରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପରୀକ୍ଷାର ମୂଲ୍ୟାଙ୍କନ ରେଜିଷ୍ଟରକୁ ଦେଖିବା ସହ ଉପସ୍ଥାନ ଖାତା ଓ ସ୍ୱଚ୍ଛତା ସଂପର୍କରେ ତଦାରଖ ସାଙ୍ଗକୁ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ଅଚାନକ ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ, ବାବନପୁର କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ, ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ହେଲିନା ତିରିଆ, ମିତାରାଣୀ ବେହେରା, ସହକାରୀ ଶିକ୍ଷକ ଅନିଲ୍ କୁମାର ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଉମାତ୍ର କିଛି ମାସ ପରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଯେପରି ଭଲ ଫଳ ପ୍ରଦର୍ଶନ କରିବେ ତାହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର ମାର୍ଗଦର୍ଶନ ଓ ପ୍ରେରଣା ପ୍ରଦାନ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହପାତ୍ରଙ୍କୁ ଅତି ନିକଟରୁ ପାଇ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲର ବିଦ୍ୟାର୍ଥୀମାନେ ଖୁସି ପ୍ରକଟ କରିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର ବାବନପୁର କ୍ଳଷ୍ଟରର ନୁଆଗାଁ ପ୍ରାଥମିକ ବିଦ୍ୟାଳୟ ଏବଂ ଚିନିଶିଳ୍ପ ପ୍ରାଥମିକ ବିଦ୍ୟାଳୟ ସମେତ କାଳଷଣ୍ଢପୁର କ୍ଳଷ୍ଟରର ବରଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ ଆସିକା ସଦର କ୍ଳଷ୍ଟରର ପିଏମ୍ଶ୍ରୀ ହରିହର ହାଇସ୍କୁଲକୁ ପରିଦର୍ଶନ କରିଥିବା ଜଣାପଡିଛି । କାଳଷଣ୍ଢପୁର ସ୍ଥିତ ବରଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


