ତାମିଲନାଡୁ ପୋଲିସ ଦ୍ୱାରା ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଗଜପତିର ଯୁବକ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲ୍ଲାରେ ପହଞ୍ଚିଲା ତାମିଲନାଡୁ ପୁଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାମିଲନାଡୁ ପୁଲିସ ତଦନ୍ତ କରିବା ପରେ ଗଞ୍ଜେଇ ଗଜପତି ଜିଲ୍ଲାର କେଶରୀଗୁଡ଼ା ଅଞ୍ଚଳରୁ ତାମିଲନାଡ଼ୁ ଚାଲାଣ ହୋଇଥିବା ସୂଚନା ମିଳିଛି।ଚଳିତ ମାସ ୧୩ରେ ତାମିଲନାଡୁର ଭାଲୋର୍ ରେଳ ଷ୍ଟେସନ୍ରେ ଜଣେ ଯୁବକଙ୍କ ଠାରୁ ପ୍ରାୟ ୧୪ କିଲୋ ଗଞ୍ଜେଇ ଜବତ କରିଥିଲା ସେଠାକାର ପୋଲିସ। ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗଞ୍ଜେଇ ଗଜପତି ଜିଲ୍ଲାର କେଶରୀଗୁଡ଼ା ଅଞ୍ଚଳରୁ ନିଆଯାଇଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା ।ଏହାପରେ ତାମିଲନାଡୁ ପୁଲିସ ଏକ ଟିମ୍ ଗଜପତି ଜିଲ୍ଲାର ଅଡବା ଥାନା ଅଧୀନ କେଶରୀଗୁଡ଼ା ଅଞ୍ଚଳରେ ପହଞ୍ଚି ତଦନ୍ତ କରିଥିଲା। ତେବେ ସନ୍ଦିଗ୍ଧ ଯୁବକଙ୍କ ସନ୍ଧାନ ମିଳିନଥିଲା।ପରେ ମୋହନା ଥାନା ପୁଲିସର ସହଯୋଗରେ ତଦନ୍ତ ଆଗକୁ ବଢ଼ିଥିଲା। ମୋହନା ଥାନା ଏସଆଇ ଶ୍ରୀରାଜ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଯୁବକଙ୍କୁ ମୋହନାରୁ ଗିରଫ କରାଯାଇଥିଲା।ଗିରଫ ଯୁବକ ଜଣକ ହେଲେ କେଶରୀଗୁଡ଼ା ଗାଁର ରିଙ୍କୁ ଲିମା ବୋଲି ଜଣାପଡ଼ିଛି। ତାମିଲନାଡୁରେ ଜବତ ୧୪ କିଲୋ ଗଞ୍ଜେଇ ମାମଲା ସହ ତାଙ୍କର ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।ତାମିଲନାଡୁରୁ ଆସିଥିବା ପୁଲିସ ଏହି ଗଞ୍ଜେଇ ମାମଲାର ତଦନ୍ତ ଏବେ କେଉଁଠି ପହଞ୍ଚୁଛି ଏବଂ ଏହି ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।


