ବଢ଼ିଲା ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡ଼ୁଆ, ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ
କଟକ, (ଓ୍ବାଇଏନଏସ): ବଢ଼ିଲା ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡ଼ୁଆ । ସୁଜିତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହାସହ ତାଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇ ଦେଇଛନ୍ତି ଅଦାଲତ । ଫଳରେ ଯେକୌଣସି ମୁହୂର୍ତ୍ତରେ ସୁଜିତ ରାଉଳ ଗିରଫ ହୋଇପାରନ୍ତି । ଚୌଦ୍ୱାର ଜେଲ୍ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହେବା ଏବଂ ପୂର୍ବତନ ଜେଲର ସନ୍ତୋଷିନୀ ଦାଶଙ୍କ ଦସ୍ତଖତ ଜାଲିଆତି ଅଭିଯୋଗକୁ ନେଇ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି ।ତଦନ୍ତ ସମୟରେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ତଦନ୍ତରେ ସହଯୋଗ କରୁନଥିବା ଏବଂ ଜେଲ୍ର ମିନିଟ୍ ବୁକ୍ ଦାଖଲ କରୁନଥିବା ଅଭିଯୋଗ ହୋଇଥିଲା । ପୋଲିସ ପକ୍ଷରୁ ବାରମ୍ବାର ରିମାଇଣ୍ଡର ଦିଆଯାଇଥିଲେ ମଧ୍ୟ ମିନିଟ୍ ବୁକ୍ ଦାଖଲ କରାଯାଇନଥିବା ନେଇ ଅଦାଲତଙ୍କ ନିକଟରେ ପ୍ରମାଣ ଦାଖଲ କରିଥିଲା ପୋଲିସ । ଏହାପରେ ଗିରଫଦାରୀ ଏଡ଼ାଇବା ପାଇଁ ସୁଜିତ ରାଉଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଗତ ୨୪ ତାରିଖରେ ଏହି ଆବେଦନର ଶୁଣାଣି ହୋଇଥିବା ବେଳେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ ।ଆଜି ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ସହ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଛନ୍ତି । ଏହାପରେ ସୁଜିତ ରାଉଳଙ୍କ ଗିରଫଦାରୀ ନେଇ ଆଶଙ୍କା ବଢ଼ିଛି । ଅନ୍ୟପଟେ, ଆଗୁଆ ଜାମିନ ଖାରଜ ହେବା ସମ୍ପର୍କରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି କହି ସେ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।


