ସ୍ବାୟତ୍ତ ଶାସନ ଦିବସ
ଗୁଣପୁର (ୱାଇଏନଏସ) : ଗୁଣପୁର ପୋୖର ପାଳିକାର ଏକ ଛତ୍ରବାଦ ଶାସନର ନମୁନା ଆଉଥରେ ପଦାରେ ପଡି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୁଣପୁର ପୋୖର ପାଳିକା ପକ୍ଷରୁ ସୋମବାର ଦିନ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ସ୍ଥାନୀୟ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କୁ ଆମନ୍ତ୍ରଣ କରାଯାଇନାହିଁ କି ଉନ୍ନୟନ ପ୍ରକଳ୍ପ ଗୁଡିକର ଉଦଘାଟନ ଫଳକରେ ସେମାନଙ୍କ ନାମ ଲେଖାଯାଇ ନଥିବା ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦେଶନାମା ରହିଛିଯେ ପୋୖର କିମ୍ବା ବ୍ଲକ ଅଞ୍ଚଳର ସମସ୍ତ ଉଦଘାଟନ ଉତ୍ସବରେ ସ୍ଥାନୀୟ ସାଂସଦ ଓ ବିଧାୟକ ମାନଙ୍କୁ ଆମନ୍ତ୍ରଣ କରିବା ସହ ଉଦଘାଟନ ଫଳକରେ ସେମାନଙ୍କ ନାମ ରହିବା ବାଧ୍ୟତାମୂଳକ ବୋଲି ଉଲେଖ ରହିଛି। ଏହାସତ୍ତ୍ୱେ ବି ଗୁଣପୁର ପୋୖର ପାଳିକାର ଅଧ୍ୟକ୍ଷା,ଉପାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି ବୋଲି ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ରାୟଗଡା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ ବିଧାୟକ ଶ୍ରୀ ଗମାଙ୍ଗ କହିଛନ୍ତି। ଅପର ପକ୍ଷରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ପୋୖର କତ୍ତୃପକ୍ଷଙ୍କ ଆଚରଣକୁ ତୀବ୍ର ନିନ୍ଦା କରିବା ସହ ଆଇନକୁ ହେୟ ଜ୍ଞାନ କରୁଥିବା ଗୁଣପୁର ପୋୖର ନିର୍ବାହୀ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଜାରି କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନୁରୂପ ଭାବେ ଗୁଣପୁର ବିଧାୟକ ଶ୍ରୀ ଗମାଙ୍ଗ ବିଧାନସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।ଏହିଭଳି ଅଭିଯୋଗ ପାଇବା ପରେ ଆଜି ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଗୁଣପୁର ପୋୖର ପାଳିକାର ଅଧ୍ୟକ୍ଷାଙ୍କୁ ଚିଠି ଲେଖି ସରକାରୀ ନିୟମ ଏବଂ ପ୍ରଟୋକାଲକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳଙ୍କ ପରାମର୍ଶକୁ ବି ପୋୖର ପାଳିକାର କତ୍ତୃପକ୍ଷ ଖାତିର ନକରି ଉନ୍ନୟନ ପ୍ରକଳ୍ପ ଗୁଡିକ ସାଂସଦ ଓ ବିଧାୟକଙ୍କ ନାମ ନଥାଇ ଉଦଘାଟନ କରିଥିଲେ। ତେବେ ଗୁଣପୁର ଉପଜିଲ୍ଲାପାଳ ଲିଖିତ ଭାବେ ପୋୖର ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ନଦେଇ ଅଧ୍ୟକ୍ଷାଙ୍କୁ କାହିଁକି ଚିଠି ଲେଖିଲେ ତାହା ବିଚାର ସାପେକ୍ଷ। ବରିଷ୍ଠ କାଉନସିଲର ଦେବୀ ଆଚାର୍ଯ୍ୟ ଅଭିଯୋଗ କରି କହିଛନ୍ତିଯେ ସ୍ବାୟତ ଶାସନ ଦିବସ ଉତ୍ସବ ପାଳନ ନିମନ୍ତେ ପୂର୍ବରୁ କାଉନସିଲ ବୈଠକ ଡାକି ଆଲୋଚନା କରିବା କଥା। ସେହିପରି କୌଣସି ବୈଠକ ନଡାକି କତ୍ତୃପକ୍ଷ ମନମୁଖୀ ଭାବେ କାମ କରିବା ଦ୍ବାରା ଏହିପରି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛନ୍ତି।। ନିର୍ବାହୀ ଅଧିକାରୀ ବିଶେଷ କିଛି ମତ ନଦେଇ ଏହା ମୋର ଦୁର୍ଭାଗ୍ୟ ବୋଲି କହିଛନ୍ତି। ଅପର ପକ୍ଷରେ ଆଜିକାର ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟ ଅତିଥି ରହିଥିବା ଉପଜିଲ୍ଲାପାଳ ଦୁଧାଲ ଏବଂ ସମ୍ମାନିତ ଗୁଣପୁର ବିଡ଼ିଓ ସ୍ବସ୍ତିକ ଜମାଦାର ଉତ୍ସବରେ ଯୋଗନଦେଇ ବିବାଦ ଠାରୁ ଦୂରେଇ ଯାଇଥିଲେ। ଶେଷରେ ପୋୖର କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ଗୌଡ଼, ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର, ଦୁଇ ବିଜେଡି କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ ,ଭାଗୀରଥି ବିଷୋୟୀ ପ୍ରମୁଖ ମଞ୍ଚାସିନ ହୋଇ ଉତ୍ସବକୁ ଚଳେଇ ନେଇଥିଲେ। ଗୁଣପୁର ପୋୖରାଞ୍ଚଳରେ ଉଲେଖନୀୟ ସଫେଇ କାମ କରିଥିବା ମେହେନ୍ତର ଏବଂ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁଣପୁର ପୋୖର କତ୍ତୃପକ୍ଷଙ୍କ ଏହିପରି ଆଚରଣକୁ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଇଛି।


