ଷଣ୍ଢ ଉପଦ୍ରବ ପାଇଁ ବ୍ଲକ ଘେରିଲେ ଚାଷୀ

ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଦିନକୁ ଦିନ ଷଣ୍ଢ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଚାଷୀମାନେ ଚାଷ କରିଥିବା ପନିପରିବାକୁ ନଷ୍ଟ କରୁଥିବା ବେଳେ ବର୍ତମାନ ଧାନ ଚାଷ ହୋଇଥିବା ବେଳେ ଧାନ ଜମିରେ ପଶି ଧାନ ଗଛକୁ ନଷ୍ଟ କରିଦେଉଛନ୍ତି । ଚାଷୀ ଷଣ୍ଢମାନଙ୍କ କବଳରୁ ଧାନକୁ ରକ୍ଷା କରିବା କଷ୍ଟ ସାଧ୍ୟ ହୋଇ ପଡିଛି । ତେଣୁ ଷଣ୍ଢ ଉପଦ୍ରବରୁ ଚାଷକୁ ବଂଚାଇବା ପାଇଁ ସୋମବାର ସ୍ଥାନୀୟ ଚାଷୀମାନେ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିବାଦ କରିଥିଲେ। ବୁଲା ଷଣ୍ଢଙ୍କ ପାଇଁ ସ୍ଥାୟୀ ପ୍ରତିକାର ନହେଲେ ଚାଷ ବଂଚିବା ଅସମ୍ଭବ ବୋଲି ଚାଷୀମାନେ ମତବ୍ୟକ୍ତ କରିଥିଲେ। ସ୍ଥାୟୀ ଗୋଶାଳା ନିର୍ମାଣ କରି ବୁଲା ଷଣ୍ଢ ମାନଙ୍କ ପାଇଁ ସ୍ଥାୟୀ ପ୍ରତିକାର କରିବାକୁ ଚାଷୀମାନେ ଦାବି କରିଥିଲେ । ପରେ ପ୍ରତିବାଦକାରୀଙ୍କ ସହ ବିଡିଓ ନିରଞ୍ଜନ ପରିଡା, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ନିରୋଦ କୁମାର ସାହୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଅଳ୍ପ ଦିନ ମଧ୍ୟରେ ଷଣ୍ଢମାନଙ୍କ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯିବା ସହ ଉକ୍ତ ବ୍ଲକରେ ଗୋଶାଳା ନିର୍ମାଣ ପାଇଁ ସ୍ଥାୟୀ ବନ୍ଦୋବସ୍ତ କରାଯିବ ବୋଲି ବିଡ଼ିଓ ପରିଡା ମତବ୍ୟକ୍ତ କରିଥିଲେ । ଏହି ଆନ୍ଦୋଳନରେ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ବାଇଁ ଆଦି ଯୋଗ ଦେଇଥିଲେ ।ଅନ୍ୟପଟରେ ଧାନ ଫସଲକୁ ଷଣ୍ଢ କବଳରୁ ରକ୍ଷା କରିବା ପାଇଁ ସ୍ଥାନୀୟ ଚାଷୀମାନେ ବାଲିଭଉଁରୀ-ଶିଖରଘାଟ ରାସ୍ତାର ମୁଗେଇ ଛକସ୍ଥିତ ଯାତ୍ରୀ ବିଶ୍ରାମଗାର ପାର୍ଶ୍ବରେ କିଛି ଷଣ୍ଢକୁ ବାନ୍ଧି ଖାଦ୍ୟ ଯୋଗାଇ ଦେଉଥିବା ଦେଖାଯାଇଛି । ପ୍ରକାଶଯୋଗ୍ୟ ଯେ ଗତ ଜିଲାପାଳଙ୍କ ଯୁଗ୍ମ ଜନ ଶୁଣାଣିରେ ନବନିର୍ମାଣ କୃଷକ ସଂଗଠନ ଓ ଚାଷୀ ମାନେ ଷଣ୍ଢମାନଙ୍କର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ