ଅଧ୍ୟାପିକାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ଓ୍ବାଇଏନଏସ) :ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ର ଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଚାକିରୀ ରୁ ଅବସର ନେଇଥିବା ଅଧ୍ୟାପିକା ଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଅଧ୍ୟାପିକା ଙ୍କ ସ୍ୱାମୀ ଆଇନଜୀବି ଏ. ସୋମେଶ୍ୱର ରାଓ ପାତ୍ର ଏବଂ ପୁଅ ସ୍ୱରାଜ ପାତ୍ର ଉପସ୍ଥିତ ଥିଲେ। ଅଧ୍ୟାପିକା ଦୀର୍ଘ ୩୨ ବର୍ଷ ଧରି ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ବିଭାଗରେ ଅଧ୍ୟାପିକା ଭାବେ ନିଷ୍ଠା, ଦାୟିତ୍ୱବୋଧ ଓ ସମର୍ପଣର ସହିତ ଶିକ୍ଷାଦାନ କରିଆସିଛନ୍ତି। ତାଙ୍କର ଦୀର୍ଘ ଶିକ୍ଷାଦାନ ଜୀବନରେ ଅନେକ ଛାତ୍ରୀ ଛାତ୍ର ଙ୍କୁ ଜ୍ଞାନ ଓ ମାର୍ଗଦର୍ଶନ ପ୍ରଦାନ କରିବା ସହ କଲେଜର ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଓ ସ୍ମରଣୀୟ ବୋଲି କଲେଜ ଅଧ୍ୟକ୍ଷ କହିଥିଲେ। ୬୦ ବର୍ଷ ବୟସରେ ସେ ତାଙ୍କର ସୁଦୀର୍ଘ ସେବାରୁ ସେବାନିବୃତ୍ତ ହୋଇଛନ୍ତି। ଏହି ବିଦାୟ ଅବସରରେ ଉପସ୍ଥିତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଅବସରପ୍ରାପ୍ତ ଅଧ୍ୟାପିକା ଙ୍କ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଅବଶିଷ୍ଟ ଜୀବନ ସୁଖମୟ, ଶାନ୍ତିପୂର୍ଣ୍ଣ, ନିରାମୟ, ଦୀର୍ଘାୟୁ ଓ ଆନନ୍ଦମୟ ହେଉ ବୋଲି କାମନା କରିଥିଲେ।


