ସନ୍ତାନ ସନ୍ତତିଙ୍କ ମଙ୍ଗଳ ପାଇଁ ବୁଧିବାମନ ଓଷା ବା ବୁଧେଇ ଓଷା


ସନ୍ତୋଷ କୁମାର ଦାଶ

ଆମ ଓଡ଼ିଆ ସଂସ୍କୃତି ରେ ରହିଛି ବାର ମାସ ରେ ତେର ପର୍ବ ପର୍ବାଣୀ।ତା ମଧ୍ୟରୁ ଭାଦ୍ରବ ମାସ ର ପ୍ରଥମ ବୁଧବାର ଦିନ ପାଳିତ ହୋଇଥାଏ ବୁଧି ବାମନ ଓଷା ବା ବୁଧେଇ ଓଷା।ଏହା ଭାଦ୍ରବ ମାସ ର ପ୍ରତ୍ୟେକ ବୁଧବାର ଅନୁଷ୍ଠିତ ହୋଇଥାଏ। ମହିଳା ମାନେ ନିଜ ସନ୍ତାନ ସନ୍ତତି ମାନଙ୍କ ଶୁଭ ମନାସି ଏହି ଓଷା ପାଳନ କରିଥାନ୍ତି। ମା ଭୈରବୀ ଙ୍କୁ ବୁଧେଇ ଓ ଭୈରବ ଙ୍କୁ ବାମନ ମନେ କରାଯାଇ ଏହି ପୁଜା କରା ଯାଇ ଥାଏ। ଅନ୍ୟ କେହି ଏହା ମା ବିମଳା ଓ ଶ୍ରୀ ଜଗନ୍ନାଥ ଙ୍କ ପୂଜା ମଧ୍ଯ କହିଥାନ୍ତି। ଏହି ଓଷା ରେ ଘରେ ବ୍ୟବହୃତ ଶିଳ ଓ ଶିଳପୁଆ କୁ ସାଧାରଣତଃ ପୂଜା କରା ଯାଇଥାଏ।ଗାଁ ର ଠାକୁର ଘର ଅଥବା କୋଠ ଘର କୁ ଧୁଆ ଧୋଇ କରି ଶୁଦ୍ଧ ପବିତ୍ର କରାଯିବା ପରେ ଶିଳ ଓ ଶିଳପୁଆ କୁ ଧୋଇ ହଳଦୀ ରେ ବୁଧି ଓ ବାମନ ଙ୍କ ମୂର୍ତ୍ତୀ କରାଯାଏ।ତା ଦେହରେ କଉଡ଼ି, ସିନ୍ଦୁର, ଫୁଲ,ଦୂବ, ବରକୋଳି ପତ୍ର, କଜ୍ଜଳ, ହଳଦୀ , ଶଙ୍ଖା, ସିନ୍ଦୁର ଦିଆଯାଇ ଦେବୀ ପ୍ରତିମା ଭାବେ ସଜ୍ଜିତ କରାଯାଇ ଥାଏ। ସେହି ଶିଳ ଓ ପୁଆ ସମୁଖରେ ମହିଳା ମାନେ ଏକତ୍ର ହୋଇ ନିଜ ନିଜ ସନ୍ତାନ ସନ୍ତତି ଙ୍କ ପାଇଁ ଗୁଆ/ ନଡିଆ ବସାଇଥାନ୍ତି। ବିଭିନ୍ନ ଫଳ ମୂଳ ଦଧି ବାମନ ଙ୍କ ମୂର୍ତ୍ତୀ ସମ୍ମୁଖରେ ପୂଜା ଲାଗି କରାଯିବା ସହିତ ସମସ୍ତ ମହିଳା ଦୀପ ଜାଳି ବନ୍ଦାପନା କରିଥାନ୍ତି। ବୁଧେଇ ଓଷା ପୁସ୍ତକ ପାଠ କରାଯାଏ।ଦଧି ବାମନ ଙ୍କ ପାଖରେ ଭୋଗ ଲାଗି ହୋଇଥିବା ଫଳ ମୂଳ ଭୋଗ କୁ ଖାଇ ସେ ଦିନକ ସାରା ଓଷା ପାଳନ କରିଥାନ୍ତି। ଏହିପରି ୪ ବୁଧବାର ପୂଜା ହେବା ପରେ ୫ ମ ପାଳି ଦିନ ସମସ୍ତ ମହିଳା ଘରେ ବିଭିନ୍ନ ପ୍ରକାର ର ପିଠା ତିଆରି କରି ଆଣି ଦଧି ବାମନ ଙ୍କୁ ପୂଜା କରି ଥାନ୍ତି। ନିଜ ନିଜ ଗୁଆ/ ନଡ଼ିଆ କୁ ନେଇ ନଦୀ/ପୋଖରୀ ଜଳ ରେ ବିସର୍ଜନ କରିଥାନ୍ତି। ବିଶ୍ଵାସ ରହିଛି ଯେ, ଭାଦ୍ରବ ମାସ ବୁଧବାର ରେ ଦଧି ବାମନ ଙ୍କୁ ପୂଜା କଲେ ନିଜ ସନ୍ତାନ ସନ୍ତତି ଙ୍କ ରହିଥିବା ଗ୍ରହ ଦୋଷ, ବିପଦ ଆପଦ ସବୁ ଖଣ୍ଡନ ହୋଇଥାଏ। ବୁଧେଇ ଓଷା ବା ବୁଧି ବାମନ ଓଷା ଆମ ଓଡ଼ିଆ ସଂସ୍କୃତି ରେ ରହି ଆସିଛି କାହିଁ କେତେ କାଳରୁ। ଜୟ ମା ଭୈରବୀ,ଜୟ ଭୈରବ।।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ