ନିର୍ବାଚକ ପର୍ଯ୍ୟବେକ୍ଷକଙ୍କ କ୍ଷେତ୍ର ପରିଦର୍ଶନ ଏବଂ ଏସ୍ଆଇଆର୍-୨୦୨୬ର ଅଗ୍ରଗତିର ସମୀକ୍ଷା
ଗୁଣପୁର , (ୱାଇ ଏନ ଏସ) ଏସ୍ଆଇଆର୍-୨୦୨୬ ଅନ୍ତର୍ଗତ ଚାଲୁଥିବା ମତଦାତା ତାଲିକାର ପୁନଃସମୀକ୍ଷା, ଯାଞ୍ଚ ଓ ସୁପର୍-ଚେକିଂ ପ୍ରକ୍ରିୟାର ଅଗ୍ରଗତି ଅନୁଧ୍ୟାନ ନିମନ୍ତେ ଇଡ଼କର ପରିଚାଳନା ନିର୍ଦ୍ଦେଶକ ତଥା ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକ ଡ. ପ୍ରଶାନ୍ତ କୁମାର ରେଡ୍ଡୀ ବୁଧୁବାର ଦିନ ରାୟଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବ୍ଲକ୍ରେ ଚାଲୁଥିବା ଏସ୍ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ରେଡ୍ଡୀ ଗୁଣପୁର ବ୍ଲକ୍ ଅନ୍ତର୍ଗତ ନ୍ୟୁ କଲୋନୀ ପରିଦର୍ଶନ କରି ସୁପର୍-ଚେକିଂ ପାଇଁ ଚିହ୍ନଟ ହୋଇଥିବା ଏକ ଫର୍ମ-୭ ମାମଲାର ଯାଞ୍ଚ କରିଥିଲେ। ସେ ସମ୍ପୃକ୍ତ ବୁଥ୍ ଲେଭେଲ୍ ଅଫିସର୍ ମାନଙ୍କ ସହ ଆଲୋଚନା କରି ମାମଲାର ଯାଞ୍ଚ ପ୍ରକ୍ରିୟା, ଆବଶ୍ୟକ ଦସ୍ତାବିଜ ଏବଂ ସୁପର୍-ଚେକିଂର ପ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଏହାପରେ ସେ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଆଖୁସିଂ-୨ ଏବଂ ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ମୋସାରିଗୁଡ଼ା ପରିଦର୍ଶନ କରି ସୁପର୍-ଚେକିଂ ପାଇଁ ଚିହ୍ନଟ ହୋଇଥିବା ଫର୍ମ-୬ ମାମଲାଗୁଡ଼ିକର କ୍ଷେତ୍ର ସ୍ଥଳରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେ ସମ୍ପୃକ୍ତ ଅଧିକାରୀ ଓ ବିଏଲଓ ମାନଙ୍କୁ ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ନିର୍ଦ୍ଧାରିତ ନିୟମ ଓ ମାନଦଣ୍ଡ ଅନୁଯାୟୀ ସଠିକ୍ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ଅବସରରେ ନିର୍ବାଚନୀ ରୋଲ୍ ପର୍ଯ୍ୟବେକ୍ଷକ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଏସ୍ଆଇଆର୍-୨୦୨୬ର ବର୍ତ୍ତମାନ ପର୍ଯ୍ୟାୟ, ଜିଲ୍ଲାରେ ଚାଲୁଥିବା କାର୍ଯ୍ୟକ୍ରମର ପ୍ରଗତି, ଆପତ୍ତି ଦାଖଲ ଓ ଶୁଣାଣି ପର୍ଯ୍ୟାୟ ସମ୍ପର୍କରେ ବିସ୍ତୃତ ଭାବେ ମତବିନିମୟ ହୋଇଥିଲା। ଏଥିସହ ଏସ୍ଆଇଆର୍ କାର୍ଯ୍ୟକ୍ରମର ପ୍ରତ୍ୟେକ ପର୍ଯ୍ୟାୟକୁ ସ୍ୱଚ୍ଛ, ନିରପେକ୍ଷ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ଏସ୍ଆଇଆର୍-୨୦୨୬ ପ୍ରକ୍ରିୟାରେ ଫର୍ମ-୬ ଓ ଫର୍ମ-୭ ମାମଲାଗୁଡ଼ିକର ଯାଞ୍ଚ ଏବଂ ସୁପର୍-ଚେକିଂ କାର୍ଯ୍ୟ ଜାରି ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆପତ୍ତି ଓ ଶୁଣାଣି ପ୍ରକ୍ରିୟା ସମ୍ପନ୍ନ କରାଯାଇ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ କରାଯିବ। ଶ୍ରୀ ରେଡ୍ଡୀଙ୍କ ଏହି ଜିଲ୍ଲା ଗସ୍ତ ସମୟରେ ରାୟଗଡା ଜିଲ୍ଲାପାଳ ଶ ଆଶୁତୋଷ କୁଲକର୍ଣ୍ଣି, , ରାୟଗଡା ଉପଜିଲ୍ଲାପାଳ ରମେଶ କୁମାର ଜେନା, ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କ ସମେତ ଜିଲ୍ଲା, ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ, ନିର୍ବାଚନୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।


