ସାତଭାୟା ପରେ ଅସ୍ତରଙ୍ଗରେ ସମୁଦ୍ର ତାଣ୍ଡବ ବିପଦରେ ୫ ଗାଁ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଆଉ କିଛି ଘଣ୍ଟା ର କିଛି ଦିନ।ତା ପରେ ସବୁ ଶେଷ! ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତର ଡାଳୁଅକଣି ଗାଁ ପାଇଁ ଏବେ ସମୁଦ୍ର ପ୍ରବେଶ କରିବାର କାଉଣ୍ଟଡାଉନ ଆରମ୍ଭ ହୋଇଛି। ଗାଁଠାରୁ ମାତ୍ର ୫୦ ଫୁଟ ଦୂରରେ ସମୁଦ୍ର! ସୁଁ ସୁଁ ଗର୍ଜନରେ କମ୍ପୁଛି ପୁରା ଅଞ୍ଚଳ। ସାତଭାୟା ପରେ ଏବେ ଦ୍ୱିତୀୟ ସାତଭାୟା ପାଲଟିବାକୁ ଯାଉଛି ଡାଳୁଅକଣି। ଯେଉଁଠି ପୂର୍ବରୁ ଘଞ୍ଚ ଝାଉଁ ଜଙ୍ଗଲ ଥିଲା ସେଠି ଏବେ କେବଳ ପ୍ରଚଣ୍ଡ ଢେଉ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡିଛି। କେଳୁଣୀ ନଦୀ ମୁହାଣ ବୁଲି ଯିବା ପରେ ସମୁଦ୍ରର ଗତିପଥ ବଦଳି ଯାଇଛି। ଆଗରୁ ସମୁଦ୍ର ସିଧା ଯାଉଥିଲା ଏବେ ସିଧା ଗାଁକୁ ମାଡି ଆସୁଛି। ହଜାର ହଜାର ଝାଉଁ ଗଛ ମୂଳ ସହ ଉପୁଡି ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି। କାଲି ଯାଏ ଯେଉଁଠି ଲୋକେ ଜଙ୍ଗଲ ଭିତରେ ବୁଲୁଥିଲେ ମାଛ ଧରୁଥିଲେ ଆଜି ସେଠି କେବଳ ଲୁଣି ଢେଉ। ଗୋଟିଏ ବଡ ଜୁଆର ଆସିଲେ ଗାଁ ଭିତରେ ପଶିଯିବ ପାଣି। ଚାଷ ଜମି ବାସଗୃହ ସବୁ ଶେଷ ହୋଇଯିବ। ଡାଳୁଅକଣି ସହ ଅଣକଣା ଛୁରିଆନା ଭଳି ୫ଟି ଗାଁ ଏବେ ଚରମ ବିପଦରେ ଅଛନ୍ତି। ଲୋକେ ରାତି ସାରା ଅନିଦ୍ରା ରହି ସମୁଦ୍ରକୁ ଜଗି ରହିଛନ୍ତି। ପିଲା ଛୁଆଙ୍କୁ ଧରି କେଉଁଠି ଯିବୁ ଚିନ୍ତାରେ ସମସ୍ତେ। ଏହା ସାତଭାୟାର ଦ୍ୱିତୀୟ ଭାଗ ବୋଲି ସମସ୍ତେ କହୁଛନ୍ତି। ପ୍ରଶାସନ ପକ୍ଷରୁ ଏ ଯାଏ କୌଣସି ସ୍ଥାୟୀ ପ୍ରତିକାର ହୋଇନି। ଅସ୍ଥାୟୀ ବାଲି ବସ୍ତା ପକାଇ ସମୁଦ୍ରକୁ ରୋକିବା ସମ୍ଭବ ନୁହେଁ। ପ୍ରତିଦିନ ସମୁଦ୍ର ଦୁଇରୁ ତିନି ଫୁଟ ଆଗକୁ ମାଡି ଆସୁଛି, ଯାହା ଗ୍ରାମବାସୀଙ୍କ ମନରେ ଛନକା ପକାଇଛି। ଏ ନେଇ ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ଡି କହିଛନ୍ତି, ଏ ନେଇ ବାରମ୍ବାର ପ୍ରଶାସନ, ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ଅଧିକାରୀ ଏହାକୁ ଗୁରୁତ୍ୱ ଦେଉନାହାନ୍ତି କିନ୍ତୁ ସମୁଦ୍ର କ୍ରମଶଃ ଗାଁ ମୁହାଁ ହେଲାଣି, ଯାହା ଝାଉଁ ଗଛ ଥିଲା ସମୁଦ୍ର ଲୀନ ହେଲାଣି। ତୁରନ୍ତ ସ୍ଥାୟୀ ପଥର ବନ୍ଧ ନ ହେଲେ ଗାଁ ରହିବନି। ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ର କାଣ୍ଡି କହିଛନ୍ତି ।ଆମେ ରାତିରେ ଶୋଇ ପାରୁନା। ସୁଁ ସୁଁ ଶବ୍ଦରେ ପିଲା ଛୁଆ ଡରି ଯାଉଛନ୍ତି। ସରକାର ଆମ କଥା ଶୁଣୁନାହାନ୍ତି। ସାତଭାୟା ଭଳି ଆମକୁ ବି ବିସ୍ଥାପିତ କରାଯିବ କି ।ସ୍ଥାନୀୟ ପରିବେଶବିତ ସରୋଜ କୁମାର ଜେନା କହିଛନ୍ତି ଜଳବାୟୁ ଯୋଗୁଁ ପୀଡାରେ ପୀଡିତ ସାତଭାୟା। ଶ୍ରୀକ୍ଷେତ୍ର ମାଟିରେ ଅସ୍ତରଙ୍ଗ ବ୍ଲକର ଛେନୁଅ, କଳମକଣି, କଁଅରପୁର, ଉଦୟକଣି, ତଣ୍ଡାହର ଥିବା ଅନ୍ୟ ପାର୍ଶ୍ୱରେ ଡାଳୁଅକଣି ଏହି ଗାଁ ସମ୍ପୂର୍ଣ୍ଣ ବିପଦରେ। ଛେନୁଅ, ଉଦୟକଣି ୨ଥର ବିସ୍ଥାପିତ ହେଲାଣି। ଆଉ ଗୋଟିଏ ଗାଁ ସମୁଦ୍ରରେ ନ ହଜିଯାଉ ସମସ୍ତଙ୍କର ପ୍ରୟାସ ରହିବା ଦରକାର। ବୈଜ୍ଞାନିକ ପଦ୍ଧତିରେ ସରକାରୀ ସ୍ତରରେ ପ୍ରୟାସ ହେଉ।
ଯଦି ଏବେ ତୁରନ୍ତ ସ୍ଥାୟୀ ପଥର ବନ୍ଧ ଓ ଜିଓ ଟ୍ୟୁବ ୱାଲ ନିର୍ମାଣ ନ ହୁଏ, ତେବେ ଆଉ କିଛି ଦିନରେ ମାନଚିତ୍ରରୁ ହଜିଯିବ ୫ଟି ଗାଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ