ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଗୁରୁତର
ବାଲେଶ୍ୱର(ସରୋଜ ପଣ୍ଡା) : ବାଲେଶ୍ୱରରେ ପୋଲିସ ଏନକାଉଣ୍ଟର । ଶୁକ୍ରବାର ସକାଳେ ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ଛକ ନିକଟରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଗୁରୁତର ଆହତ ହୋଇଛି। ଆହତ ଲୋକେଶ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ରିପୋର୍ଟ ଅନୁଯାୟୀ, ଗୋଟିଏ ସର୍ଚ୍ଚ ଅପରେସନ୍ ସମୟରେ ପୋଲିସ ଟିମ୍ ଲୋକେଶକୁ ଅଡ଼ା ଛକ ନିକଟରେ ଠାବ କରିଥିଲା। ପୋଲିସ ଅଧିକାରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ସେ ଖସି ପଳାଇବାକୁ ଚେଷ୍ଟା କରିଥିଲା ଏବଂ ହଠାତ୍ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥି ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଫଳରେ ଏହି ଗୁଳିବିନିମୟରେ ଅପରାଧୀ ଲୋକେଶର ବାମ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ତଳେ ପଡ଼ିଯାଇଥିଲା। ଏନକାଉଣ୍ଟର ପରେ ପୋଲିସ ଲୋକେଶକୁ କାବୁ କରିବା ସହ ତୁରନ୍ତ ଚିକିତ୍ସା ନିମନ୍ତେ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ସେଠାରେ ତାର ଚିକିତ୍ସା ଜାରି ରହିଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।


