ସ୍ୱାଧୀନତାର ୮୦ ବର୍ଷ ପରେ ବି କୁଆଡ଼ ଗାଁକୁ ନାହିଁ ସବୁଦିନିଆ ରାସ୍ତା, ମିଳିନି ରାଜସ୍ୱ ଗ୍ରାମର ମାନ୍ୟତା
ହାଟଡିହି, (ଓ୍ବାଇଏନଏସ): ସରକାର ପରେ ସରକାର ବଦଳୁଛି, ହେଲେ ବଦଳୁନି ଗାଁର ଭାଗ୍ୟ। ସ୍ୱାଧୀନତାର ୮୦ ବର୍ଷ ପରେ ବି ବିକାଶର ଅପେକ୍ଷାରେ ରହିଛି ହାଟଡିହି ବ୍ଲକ ସମଣା ପଞ୍ଚାୟତ ଅଧୀନସ୍ଥ କୁଆଡ଼ ଗାଁ। ଆଜି ବି ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଅନ୍ୟପଟେ ଦୀର୍ଘବର୍ଷ ଧରି ଦାବି ସତ୍ତ୍ୱେ ଗାଁଟି ରାଜସ୍ୱ ଗ୍ରାମର ମାନ୍ୟତା ପାଇନାହିଁ। ଫଳରେ ୯୦ରୁ ଊର୍ଦ୍ଧ୍ୱ ପରିବାରର ୬୦୦ରୁ ଅଧିକ ଲୋକ ନାନା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ସଦର ମହକୁମାଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ବୈତରଣୀ ନଦୀ କୂଳରେ ଅବସ୍ଥିତ କୁଆଡ଼ ଗାଁ। ଏହି ଗାଁ ସମଣା ରାଜସ୍ୱ ଗ୍ରାମ ଅଧୀନରେ ରହିଛି। ଗାଁର ଅଧିକାଂଶ ପରିବାର ଚାଷବାସ ଉପରେ ନିର୍ଭରଶୀଳ। ଏପରିକି ଗାଁର କିଛି ଲୋକ ସରକାରୀ ଚାକିରିରେ ରହି ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଅଛନ୍ତି। ତଥାପି ଗାଁଟି ଏପର୍ଯ୍ୟନ୍ତ ନିଜସ୍ୱ ରାଜସ୍ୱ ଗ୍ରାମର ମାନ୍ୟତା ପାଇପାରିନାହିଁ। ଗ୍ରାମବାସୀଙ୍କ କହିବାନୁଯାୟୀ, କୁଆଡ଼କୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ସରକାରୀସ୍ତରରେ ଆବଶ୍ୟକ ପ୍ରକ୍ରିୟା ଓ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ। ସେହିପରି ଗାଁକୁ ଯାତାୟାତ ପାଇଁ ଏକ ନିର୍ଭରଯୋଗ୍ୟ ସବୁଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ଅସୁବିଧା ଭୋଗୁଛନ୍ତି। ମରୁଆଠାରୁ କେନାଲ ରାସ୍ତା ଦେଇ ଗାଁକୁ ଯିବା ପାଇଁ ଗୋଟିଏ ରାସ୍ତା ରହିଛି। ହେଲେ ବର୍ଷାଦିନେ ଏହି ରାସ୍ତା କାଦୁଅରେ ପରିଣତ ହୋଇ ଯାତାୟାତ ଅନୁପଯୋଗୀ ହୋଇପଡ଼େ। ଫଳରେ ଗ୍ରାମବାସୀ ଅଢେଇଦ୍ୱାର ନିକଟରେ ଗାଡ଼ି ରଖି ସେଠାରୁ ପ୍ରାୟ ୨ରୁ ୩ କିଲୋମିଟର ରାସ୍ତା ପାଦରେ ଚାଲି ଗାଁକୁ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ସରିଦା ଗାଁ ଦେଇ ଆଉ ଏକ ରାସ୍ତା ଥିଲେ ମଧ୍ୟ ତାହାର ଅବସ୍ଥା ମଧ୍ୟ ଶୋଚନୀୟ। ବହୁବର୍ଷ ତଳେ କିଛି ମୋରମ ପକାଇ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ଷାଦିନେ ତାହା ମଧ୍ୟ ଯାତାୟାତ ଅନୁପଯୋଗୀ ହୋଇପଡ଼ୁଛି। ଏପରିକି ମୋଟରସାଇକେଲ ମଧ୍ୟ ଯିବା କଷ୍ଟକର ହୋଇପଡ଼ୁଛି। ରାସ୍ତା ଅଭାବର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି ରୋଗୀ ଓ ଛାତ୍ରଛାତ୍ରୀଙ୍କ ଉପରେ। ଗାଁରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରୁନାହିଁ। ଫଳରେ ରୋଗୀଙ୍କୁ ଖଟିଆରେ ବୋହି ସରିଦା କିମ୍ବା ମରୁଆ ପର୍ଯ୍ୟନ୍ତ ନେବାକୁ ପଡ଼ୁଛି। ସେଠାରୁ ଚାରିଚକିଆ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଛି। ଏହାଦ୍ୱାରା ଜରୁରୀ ସମୟରେ ରୋଗୀଙ୍କୁ ଚିକିତ୍ସା ମିଳିବାରେ ବିଳମ୍ବ ହେଉଛି। ସେହିପରି ରାସ୍ତା ସମସ୍ୟା ଯୋଗୁଁ ଗାଁର ଛାତ୍ରଛାତ୍ରୀମାନେ ମଧ୍ୟ ନିୟମିତ ଭାବେ ସ୍କୁଲ ଓ କଲେଜ ଯିବାଆସିବା କରିପାରୁନାହାନ୍ତି। ପଞ୍ଚାୟତର ଅନ୍ୟାନ୍ୟ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ କୁଆଡ଼ ଗାଁ ପ୍ରତି ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଗାଁର ଉତ୍ତରକୁ ଗୋବିନ୍ଦପୁର ଗାଁ ନିକଟକୁ ଆଉ ଏକ ରାସ୍ତା ଥିଲେବି ତାହା ପଙ୍କ ଆଉ କାଦୁଅରେ ଭରପୁର। ଏହି ରାସ୍ତାଦେଇ ଗାଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି। କିନ୍ତୁ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ସାଇକେଲ ତ ଦୂରର କଥା ଚାଲିକରି ଯାଇ ହେଉନି। ଫଳରେ ଗାଁ ଲୋକେ ପଞ୍ଚାୟତରୁ ରେସନ ସାମଗ୍ରୀ ଆଣିବାରେ ନାନା ଅସୁବିଧା ଭୋଗୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗାଁର ଏପରି ସମସ୍ୟାକୁ ନେଇ ଏବେ ମହିଳାମାନେ ମୁହଁ ଖୋଲିଛନ୍ତି। ସେମାନଙ୍କ ଯୁକ୍ତିଯେ ରାସ୍ତା ନଥିବାରୁ ଆମ ଗାଁରେ ଆଉ କେହି ବନ୍ଧୁ ବାନ୍ଧିବାକୁ ରାଜି ହେଉ ନାହାନ୍ତି। ଗ୍ରାମବାସୀଙ୍କ ଦାବି ହେଉଛି, ତୁରନ୍ତ ଗାଁକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ କରାଯିବା ସହ କୁଆଡ଼କୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମବାସୀଙ୍କ ଦାବି ପ୍ରତି ଗୁରୁତ୍ୱ ଦେଇ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ସହ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଗ୍ରାମର ଅଜୟ କୁମାର ବାରିକ, ମଲ୍ଲୀ ବାରିକ, ଉମାକାନ୍ତ ରାଉତ, ମାଧବ ଜେନା, ଆତୁଳ ଦାସ, ବସନ୍ତ କୁମାର ରାଉତ, ରବୀନ୍ଦ୍ର କୁମାର ସାହୁ, ନିରୁପମା ସେଠୀ, ମାଣିକ ବାରିକ, ସାବିତ୍ରୀ ସାହୁ, ଧରିତ୍ରୀ ବାରିକ, ନିରୂପମା ସା, କୁମୁଦିନୀ ସେଠୀ, କଳ୍ପନା ବାରିକ, ଅନୁପମା ସେଠୀ, ଭାଗ୍ୟବତୀ ସା, ମାଣିକ ଦାସ, ଶାନ୍ତିଲତା ଦାସ, ଶୁଭସ୍ମିତା ସେଠୀ, ସତ୍ୟପ୍ରୀୟା ବାରିକ, ଲିଜାରଣୀ ସାହୁ, ମନୋରମା ବାରିକ, କୋକିଳ ବାରିକ, ଚନ୍ଦ୍ରମଣି ବାରିକ ପ୍ରମୁଖ ଗ୍ରାମବାସୀ ଆଶାବାଦୀ ଅଛନ୍ତି।


