ବେଆଇନ ବାଲି ଉତ୍ତୋଳନ; ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ଅଭିଯୋଗ

କଟକ, (ଓ୍ବାଇଏନଏସ): ମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ଏବଂ ଏଥିରେ ସମ୍ପୃକ୍ତ ମାଫିଆଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ଦୁଲାରାମ ମୁର୍ମୁ। ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ସହ ନିରପେକ୍ଷ ତଦନ୍ତ କରାନଯିବା ନେଇ ସେ ହାଇକୋର୍ଟରେ ଏକ ଫୌଜଦାରୀ ମାମଲା (ସିଆରଏଲଏମପି) ଦାୟର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୧୩ ତାରିଖରେ ବଡ଼ସାହି ଥାନା ଅଧୀନ ପାଇକପଡ଼ା ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ନେଇ ଦୁଲାରାମ ମୁର୍ମୁ ଜିଲ୍ଲା ଖଣି ଅଧିକାରୀଙ୍କୁ ଜଣାଇଥିଲେ। ତେବେ ସେ କୁଆଡେ ଘଟଣାସ୍ଥଳକୁ ଆସି ବାଲି ମାଫିଆଙ୍କ ସହ ମିଶି ଜରିମାନା ଆଳରେ ଗାଡ଼ି ଛାଡ଼ିଦେବା ସହ ଅଭିଯୋଗକାରୀଙ୍କୁ ଜାତିଗତ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଗତ ଜୁଲାଇ ୧୫ ତାରିଖରେ ବଡ଼ସାହି ଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା (କେସ୍ ନଂ ୩୧୨/୨୦୨୬) ରୁଜୁ କରିଥିଲା। କିନ୍ତୁ ଅଭିଯୋଗ ହୋଇଛି ଯେ, ପୁଲିସ ସଙ୍ଗଠିତ ଅପରାଧ ଏବଂ ଖଣି ଓ ଖଣିଜ ଦ୍ରବ୍ୟ ଆଇନ (ଏମଏମଡିଆର ଦଫା) ଅନୁଯାୟୀ କଡ଼ା ଦଫା ନ ଲଗାଇ ମାମଲାକୁ ହାଲୁକା କରିବାକୁ ଚେଷ୍ଟା କରିଛି। ଅଭିଯୁକ୍ତମାନେ ରାଜନୈତିକ ଓ ଆର୍ଥିକ ଭାବେ ପ୍ରଭାବଶାଳୀ ହୋଇଥିବାରୁ ସେମାନେ ଖୋଲାଆକାଶ ତଳେ ବୁଲୁଛନ୍ତି ଏବଂ ଅଭିଯୋଗକାରୀଙ୍କ ପରିବାରକୁ କେସ୍ ପ୍ରତ୍ୟାହାର କରିବା ପାଇଁ ଲଗାତାର ଧମକ ଦେଉଛନ୍ତି। ଏ ନେଇ ମୟୂରଭଞ୍ଜ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ । ଅଭିଯୁକ୍ତଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ ହୋଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରୁନାହିଁ। ଏହି ବାଲି ଦୁର୍ନୀତିର ପରିମାଣ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାରୁ ସ୍ଥାନୀୟ ପୋଲିସ ବଦଳରେ କ୍ରାଇମବ୍ରାଞ୍ଚ କିମ୍ବା ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଇବାକୁ ଅଦାଲତଙ୍କ ନିକଟରେ ନିବେଦନ କରାଯାଇଛି। ଆଇନଜୀବୀ ଶିବାନୀ ସମର୍ପିତା ଓଝାଙ୍କ ଜରିଆରେ ଏହି ଆବେଦନ ଦାୟର ହୋଇଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ