ଆଜି ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ
ଆସିକା (ୱାଇଏନ୍ଏସ୍) ପ୍ରତିବର୍ଷ ସେପ୍ଟେମ୍ବର ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ଭାବରେ ପାଳନ କରାଯାଇଆସୁଛି । ପରିବେଶ ସନ୍ତୁଳନ ରକ୍ଷା କରିବାରେ ଶାଗୁଣା ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବେଳେ ସେମାନଙ୍କ ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ଶାଗୁଣା ମାନଙ୍କ ପ୍ରତି ରହିଥିବା ନକରାତ୍ମକ ଚିନ୍ତାଧାରା ଓ ଭ୍ରମାତ୍ମକ ଧାରଣାକୁ ଦୂର କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ପରିବେଶକୁ ପରିଷ୍କାର ରଖିବାରେ ଶାଗୁଣାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମରି ଯାଇଥିବା ଜୀବଜନ୍ତୁ ପଚିଶଢି ପରିବେଶକୁ ପ୍ରଦୂଷଣ କରିବା ପୂର୍ବରୁ ଶାଗୁଣାମାନେ ସେଗୁଡିକୁ ଭକ୍ଷଣ କରିଦେଇଥାନ୍ତି । ପ୍ରତିକୂଳ ପରିସ୍ଥିତିକୁ ଭ୍ରୁକ୍ଷେପ ନକରି ଶାଗୁଣାମାନେ ନିଜ କାମରେ ଲାଗିଥାନ୍ତି । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ପରିବେଶ ସଫେଇରେ ବିଶେଷ ଭୂମିକା ନିଭାଉଥିବା ଏହି ଶାଗୁଣା ପକ୍ଷୀଙ୍କ ବଂଶ ଦିନକୁ ଦିନ ଲୋପ ପାଇବାରେ ବସିଛି । କ୍ରମବର୍ଦ୍ଧିଷ୍ଣୁ ଜଙ୍ଗଲ କ୍ଷୟ ଓ ସହରୀକରଣ ସାଙ୍ଗକୁ ଭୂତାଣୁ ଜନିତ ରୋଗ ଏବଂ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ଓ ଖାଦ୍ୟ ବାସସ୍ଥାନ ଅଭାବ ସାଙ୍ଗକୁ ଅନ୍ୟ କେତେକ କାରଣରୁ ଦିନକୁ ଦିନ ଶାଗୁଣା ବଂଶ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏହାକୁ ନେଇ ପରିବେଶବିତ୍ଙ୍କ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଉଛି । ତେଣୁ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷାକାରୀ ଶାଗୁଣାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଲୋକଙ୍କୁ ଅବଗତ କରାଇବା ଓ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିଥିବା ଶାଗୁଣା ପ୍ରଜାତିଙ୍କ ସଂରକ୍ଷଣ ପାଇଁ ପ୍ରୟାସ ଜାରି ରଖିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି।


