କଟକ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସମସ୍ୟା; ଜିଲ୍ଲାପାଳଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲା ହାଇକୋର୍ଟ

କଟକ, (ଓ୍ବାଇଏନଏସ): କଟକ ସହରର ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ନେଇ ହାଇକୋର୍ଟରେ ହାଜର ହୋଇଥିବା କଟକ ଜିଲାପାଳଙ୍କ ଉପରେ ଅସନ୍ତୋଷ ଜାହିର କଲେ ହାଇକୋର୍ଟ। ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବା ପରିବର୍ତ୍ତେ କୋର୍ଟଙ୍କୁ ପରାମର୍ଶ ଦେବା କ୍ଷମତା ଜିଲାପାଳଙ୍କ ନାହିଁ ବୋଲି ସ୍ପଷ୍ଟ କଲେ ହାଇକୋର୍ଟ । କଟକ ସହର ଟ୍ରାଫିକ ସମସ୍ୟା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟରେ ହାଜର ହୋଇଥିଲେ କଟକ ଜିଲ୍ଲାପାଳ । ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କାହିଁକି ପାଳନ ହୋଇନାହିଁ ବୋଲି ଜିଲ୍ଲାପାଳଙ୍କୁ ଜବାବ ତଲବ କରିଥିଲେ। ଅପରପକ୍ଷରେ ଏହି ସମସ୍ୟାର ସମାଧାନ ଦାୟିତ୍ୱ ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ହାଇକୋର୍ଟଙ୍କୁ ପରାମର୍ଶ ଦେବା କ୍ଷମତା ଜିଲାପାଳଙ୍କର ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିଲେ। ଏଥିସହ ଜିଲାପାଳଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ । ସହରର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ୨୦୧୧ରୁ ଟ୍ରାଫିକ ପରିଚାଳନା କମିଟି ଓ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ହୋଇଥିଲା।  ଏହା ମଧ୍ୟରେ ଗାଡ଼ିମଟର ସଂଖ୍ୟା ବଢ଼ିଛି। ହେଲେ ସେହି ଅନୁସାରେ ରାସ୍ତା ସମ୍ପ୍ରସାରଣ ହୋଇନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ପୁରୁଣା କମିଟି ପରିବର୍ତ୍ତେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କୁ ନେଇ କିଭଳି ଉତ୍ତମ ଟ୍ରାଫିକ ପରିଚାଳନା କରିହେବ ସେନେଇ ଉଦ୍ୟମ ନିହାତି ଆବଶ୍ୟକ। ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ  ସ୍ବତନ୍ତ୍ର ଭାବେ କମିଟି ଗଠନ କରିବା ପାଇଁ ପରାମର୍ଶ ଦେବା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । କଟକ ସହରରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଜିଲାପାଳ ନ ମାନିବା ପରେ କୋର୍ଟ ତାଙ୍କୁ ତାଗିଦ୍ କରିବା ପରୋକ୍ଷରେ ଦର୍ଶାଇ ଦେଇଛି କି ସହରବାସୀଙ୍କ ସମସ୍ୟା ପ୍ରତି ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ତତ୍ପରତା ସନ୍ତୋଷଜନକ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ