ଭୋଟରଙ୍କ ନାମ ବାଦ୍ କୁ ନେଇ ଝଡ଼:ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ

ଧାମନଗର(ଓ୍ବାଇଏନଏସ): ଧାମନଗର ଏନ୍‌ଏସିରେ ଭୋଟର ତାଲିକା ସଂଶୋଧନକୁ ନେଇ ବିବାଦ ତୀବ୍ର ହୋଇଛି। ଫର୍ମ-୭ ମାଧ୍ୟମରେ ଭୋଟରଙ୍କ ନାମ ବାଦ୍‌ ଦେବାରେ ଅନିୟମିତତା ଓ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ଆଣି ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଧାମନଗର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଆର୍‌ଓ ସନ୍ତୋଷ କୁମାର ନାୟକ ବିଏଲ୍‌ଓମାନଙ୍କ ଉପରେ ଚାପ ପକାଇ ଫର୍ମ-୭ ଜରିଆରେ ପ୍ରାୟ ୩ହଜାରରୁ ଅଧିକ ଭୋଟରଙ୍କ ନାମ ବାଦ୍‌ ଦେବାକୁ ଉଦ୍ୟମ କରୁଥିବା ବିଜେଡି ଅଭିଯୋଗ କରିଛି। ବିଏଲ୍‌ଓମାନଙ୍କଠାରୁ ଓଟିପି ନେଇ ଆବେଦନ ପ୍ରକ୍ରିୟା ଚଳାଇବା ଏବଂ ନିର୍ଦ୍ଦେଶ ପାଳନ ନକଲେ ଶୋ-କଜ୍‌ ନୋଟିସ୍‌ ଓ ଦଣ୍ଡବିଧାନର ଧମକ ଦିଆଯାଉଥିବା ନେଇ ମଧ୍ୟ ଦଳ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆହୁରି ଗୁରୁତର କରିଛି ବିଏଲ୍‌ଓମାନଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାକୁ ଗମ୍ଭୀର କରିଛି। ତେବେ ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ଏହାକୁ ନେଇ ଧାମନଗରରେ ଭୋଟର ତାଲିକାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି।ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ଓ ସମୟସୀମାବଦ୍ଧ ତଦନ୍ତ କରିବା ସହ ତଦନ୍ତ ଶେଷ ପର୍ଯ୍ୟନ୍ତ ସମ୍ପୃକ୍ତ ଏଆର୍‌ଓଙ୍କୁ ଏସ୍‌ଆଇଆର୍‌- ୨୦୨୬ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ବିଜେଡି ଦାବି କରିଛି। ଏଥିସହ ଏନ୍‌ଏସିର ସମସ୍ତ ଫର୍ମ-୭ ଆବେଦନ,ଓଟିପି ରେକର୍ଡ ଓ ଡିଜିଟାଲ୍‌ ଲଗ୍‌ ଯାଞ୍ଚ କରିବା,ବାଦ୍‌ ପଡ଼ିଥିବା ଭୋଟରଙ୍କ ନାମର ପୁନଃ ଯାଞ୍ଚ ଏବଂ ଅଭିଯୋଗକାରୀ ବିଏଲ୍‌ଓଙ୍କୁ ସୁରକ୍ଷା ଦେବାକୁ ଦଳ ଦାବି କରିଛି। ସେପ୍ଟେମ୍ବର ୧୭ରେ ନୋଟିସ୍‌ ନିଷ୍କାସନର ଶେଷ ତାରିଖ ଓ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାରୁ ଏହା ପୂର୍ବରୁ ଅଭିଯୋଗର ତ୍ୱରିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଜେଡି ଦାବି ଜଣାଇଛି। ଦାବିପତ୍ର ପ୍ରଦାନ ସମୟରେ ବିଜେଡି ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା,ମୁଖପାତ୍ର ଲେନିନ୍ ମହାନ୍ତି,ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ,ଧାମନଗର ଏନ୍‌ଏସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ନଗର ସଭାପତି ବିଜୟ କେତନ ସାହୁ,ପୂର୍ବତନ ନଗର ସଭାପତି ସୁଶାନ୍ତ ରାଉତ,ଏମ୍‌ଡି ଫକିରୁଦ୍ଦିନ,କାଉନସିଲର ଏମଡି ଜୟନୁଲ ହକ୍, ରହିମା ଖାତୁନ,ନଜମା ଖାତୁନଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ