ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ : ଖାନନଗରରେ ଝଟକିବ ‘ସ୍ୱରବେଦ ମହାମନ୍ଦିର’ ତୋରଣ
କଟକ, (ଓ୍ବାଇଏନଏସ): କଟକର ପ୍ରସିଦ୍ଧ ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପ୍ରତିବର୍ଷ ଆକର୍ଷଣୀୟ ତୋରଣ ନିର୍ମାଣ କରି ଖ୍ୟାତି ଅର୍ଜନ କରିଥିବା ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଏଥର ବି ନିଆରା ତୋରଣ ନିର୍ମାଣ କରିବାକୁ ଯାଉଛି । ଚଳିତବର୍ଷ ଖାନନଗରରେ ଶୋଭା ପାଇବ ବାରଣାସୀର ପ୍ରସିଦ୍ଧ ସ୍ୱରବେଦ ମହାମନ୍ଦିର ଢାଞ୍ଚାର ତୋରଣ । ଖାନନଗରରେ ଆକର୍ଷଣୀୟ ମନ୍ଦିର ତୋରଣ ସହିତ ଆଲୋକର କାରୁକାର୍ୟ୍ୟ ଏଥର ଦଶହରାର ଚମକକୁ ବଢ଼ାଇବ ବୋଲି ଆଶା କରାଯାଉଛି । ପୂଜା କମିଟି ପକ୍ଷରୁ ଆସନ୍ତା ଗଣେଶ ପୂଜାରୁ ତୋରଣ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଏହାକୁ ନେଇ ଏବେଠୁ ସୋସିଆଲ୍ ମିଡିଆରେ ଜୋର୍ଦାର୍ କ୍ରେଜ୍ ଦେଖିବାକୁ ମିଳିଛି । ସୁନା ଓ ରୁପାର ଦଶହରା ପାଇଁ କଟକ ପ୍ରସିଦ୍ଧ । ଏହା ସହ ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା ଓ ମେଲୋଡି ପାଇଁ ବିଭିନ୍ନ ସ୍ଥାନରୁ କଟକକୁ ଲୋକଙ୍କ ସୁଅ ଛୁଟେ । ପ୍ରତିବର୍ଷ ବାଦାମବାଡି, ମାଲଗୋଦାମ, ଖାନନଗର, ଶିଖରପୁର ଆଦି ବିଭିନ୍ନ ପୂଜା କମିଟିର କପଡ଼ା, ପ୍ଲାଏବୋର୍ଡ ତୋରଣ, ଚାନ୍ଦିନୀଚୌକ, ଚାଉଳିଆଗଞ୍ଜ, ବିଡ଼ାନାସୀଠାରୁ ଆରମ୍ଭ କରି ବହୁ ପୂଜା କମିଟି ଆଲୋକ ତୋରଣ ବେଶ ଆକର୍ଷଣୀୟ ହୋଇଥାଏ । ସେହିକ୍ରମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ନିଜର ଚମକ ବଜାୟ ରଖିବାକୁ ଯୋଜନା କରିଛି । ପୂର୍ବରୁ ଦଶହରାରେ କାରଗିଲ୍ ଯୁଦ୍ଧ, ଅପରେସନ୍ ସିନ୍ଦୂର, ମିନାକ୍ଷୀ ମନ୍ଦିର, ବୈଷ୍ଣୋ ଦେବୀ ମନ୍ଦିର ଭଳି ଅନେକ ବିଷୟବସ୍ତୁକୁ ଆଧାର କରି ତୋରଣ କରି ଖାନନଗର ଲୋକପ୍ରିୟତା ହାସଲ କରିଥିଲା। ତେଣୁ ପୂଜା କମିଟି ଦ୍ୱାରା ଏଥର ଉତ୍ତରପ୍ରଦେଶ ସ୍ଥିତ ବାରଣାସୀ ନିକଟସ୍ଥ ପ୍ରସିଦ୍ଧ ସ୍ୱରବେଦ ମହାମନ୍ଦିରର ଢାଞ୍ଚାରେ ତୋରଣ ତିଆରି ହେବ । ଏହା ପାଖାପାଖି ୫୦ଫୁଟ୍ ଉଚ୍ଚତାର ରହିବ । ଏଥିରେ ଲାଇଟ୍ରେ କାରୁକାର୍ୟ୍ୟ ଝଲସିବ । ଏଥିପାଇଁ କୋଲକାତାରୁ କାରିଗରମାନେ ଆସି ନିର୍ମାଣ କରିବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


